thelifelinemedia
Latest Odisha News, Breaking News Today

ସରକାରୀ ସ୍ତରରେ ପାଳନ ହେବ ଶହୀଦ ବାଜି ରାଉତ ଜୟନ୍ତୀ 

ଭୁବନେଶ୍ୱର: ଏଣିକି ସରକାରୀ ସ୍ତରରେ ପାଳନ ହେବ ଶହୀଦ ବାଜି ରାଉତ ଜୟନ୍ତୀ। ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଅନେକ ବୀର ଓଡିଆଙ୍କ ମଧ୍ୟରେ ଶହିଦ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କର ବୀରତ୍ବର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା।

ବାଜି ରାଉତଙ୍କ ବଳିଦାନର ବ୍ୟଥା ଯାଇ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଜି ରାଉତଙ୍କ ତ୍ୟାଗର ପଦଚିହ୍ନକୁ ଅନୁସରଣ କରି ୧୯୪୨ ମସିହା ସେପ୍ଟେମ୍ବର ମାସରେ ଭଦ୍ରକ ଜିଲ୍ଲାର ଇରମ ମାଟି ରକ୍ତାକ୍ତ ହୋଇଉଠିଥିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଲହୁରେ। ଓଡିଶାରେ ସେ ସମୟରେ ଚାଲି ଆସୁଥିବା ସ୍ଵାଧୀନତା ସଂଗ୍ରାମର ଯାତ୍ରାରେ ବାଜି ରାଉତଙ୍କ ବଳିଦାନ ଜନ ମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ଏବଂ ରାଜ୍ୟରେ ସ୍ଵାଧୀନତା ସଂଗ୍ରାମକୁ ନୂତନ ଦିଶା ପ୍ରଦାନ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭାରତ ଇତିହାସରେ ବାଜି ରାଉତ ହେଉଛନ୍ତି ଦେଶର ସର୍ବ କନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ। ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଜୟନ୍ତୀ ପାଳନ ବାସ୍ତବିକ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହୀଦ ବାଜି ରାଉତଙ୍କ ବଳିଦାନକୁ ଜାତୀୟ ସ୍ତରରେ ପ୍ରଚାରିତ କରିବାର ସମୟ ଆସିଛି।

Leave A Reply

Your email address will not be published.