ଶୃଙ୍ଖଳିତ, ଲୋକାଭିମୁଖୀ ଓ ଦକ୍ଷ ହେଉଛି ଓଡିଶା ପୋଲିସ

ଭୁବନେଶ୍ୱର: ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୋଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୋଲିସ ସେବାରେ ଥାଇପାରେ। ରାଜ୍ୟ ପୋଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଜନ ସାଧାରଣଙ୍କ ଧନଜୀବନ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ବିଗତ ଦିନରେ ପୋଲିସର ପ୍ରଭାବଶାଳୀ ଓ ସକ୍ରିୟ ଭୂମିକାଯୋଗୁଁ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଦୀର୍ଘ ବର୍ଷ ପରେ ନିର୍ବାଚନ ଅଘଟଣ-ମୁକ୍ତ ଥିଲା। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ପୋଲିସର ସୁବନ୍ଦୋବସ୍ତ ଫଳରେ ଶାନ୍ତି ଶୃଙ୍ଖଳାର ସହିତ ସମାହିତ ହୋଇଥିଲା । ଏଥିପାଇଁ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦିନ ଥିଲା ଆମ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଭାଗ ମାଓବାଦୀ ଏବଂ ନକ୍ସଲବାଦୀ ହିଂସାର ଶିକାର ହୋଇଥିଲା। ଅନେକ ଜିଲ୍ଲାରେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଥିଲା। କିନ୍ତୁ, ରାଜ୍ୟ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳର ସହାୟତାରେ ଓଡ଼ିଶାକୁ ଏହି ହିଂସା ରୂପକ ଭାଇରସରୁ ମୋଟା ମୋଟି ଭାବେ ମୁକ୍ତ କରିପାରିଛି। ଏଥିପାଇଁ ଅନେକ ତ୍ୟାଗ ଓ ବଳିଦାନ ମଧ୍ୟ ଦେବାକୁ ପଡିଛି ରାଜ୍ୟ ପୋଲିସକୁ। ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପକ୍ଷରୁ ଓଡିଶା ପୋଲିସର ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କିନ୍ତୁ ଏହି ଲଢେଇ ସମାପ୍ତ ହୋଇନାହିଁ। ଯଦିଓ ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି, ତଥାପି ଆଜି ବି ରାଜ୍ୟର କିଛି ଅଞ୍ଚଳରେ ପରିସ୍ଥିତି ଆହ୍ଵାନପୂର୍ଣ୍ଣ ରହିଛି।
ଓଡିଶା ପୋଲିସର ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ତେଣୁ, ପୋଲିସ କେବଳ ନ୍ୟାୟପୂର୍ଣ୍ଣ ବ୍ୟବହାର କଲେ ଯଥେଷ୍ଟ ହେବ ନାହିଁ, ଏହାକୁ ସାଧାରଣ ଲୋକ ଅନୁଭବ ମଧ୍ୟ କରିବା ଉଚିତ। ଯେମିତି ଇଂରାଜିରେ କୁହାଯାଏ, ‘Not only giving justice, but should be seen to be giving justice’. ଆଶା କରୁଛି, ଏହି ଦିଗପ୍ରତି ପୋଲିସକୁ ବିଭିନ୍ନ ସ୍ତରରେ ନେତୃତ୍ଵ ଦେଉଥିବା ଅଧିକାରୀମାନେ ଦୃଷ୍ଟି ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।