୭୬ ହଜାର ପାର୍ କଲା ସୁନା

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢ଼ୁଛି ସୁନା ଦର। ଚାହିଦାରେ ବଢ଼ୁଥିବାରୁ ଘରୋଇ ବଜାରରେ ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରି ଆଉ ଏକ ସର୍ବକାଳୀନ ରେକର୍ଡ କରିଛି। ପଶ୍ଚିମ ଏସିଆରେ ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ଏବଂ ଭୁ-ରାଜନୈତିକ ଅସ୍ଥିରତା ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ଚଳିତ ବର୍ଷ ବଜାରରେ ସୁନା ମୂଲ୍ୟ ୨୮% ବୃଦ୍ଧି ଘଟିଛି। ସେହିଭଳି ରୁପା ମୂଲ୍ୟ ପୁନର୍ବାର କିଲୋ ପିଛା ୧ ଲକ୍ଷ ଟଙ୍କା ଟପିଯାଇଛି।
ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୬,୩୭୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ର ମୂଲ୍ୟ ୭୦,୦୧୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଆଜି ଗତକାଲି ତୁଳନାରେ ୬୦୦ ଟଙ୍କା ବୃଦ୍ଧି ଘଟି ୭୬,୬୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ମୂଲ୍ୟ ଭୁବନେଶ୍ବରରେ ଗତକାଲି ୭୦ ହଜାର ଟଙ୍କା ରହିଥିବା ବେଳେ ଆଜି ତାହା ୭୦,୦୧୦ ଟଙ୍କାକୁ ବୃଦ୍ଧି ଘଟିଛି।