ଆଜିଠାରୁ ଜିଲ୍ଲାପାଳଙ୍କ ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଜିଲ୍ଲାପାଳମାନଙ୍କ ଦୁଇଦିନିଆ ସମ୍ମିଳନୀ। ଲୋକସଭା ଭବନରେ ଆରମ୍ଭ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଆଜି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେବାକୁ ଯାଉଥିବାବେଳେ ଆସନ୍ତା କାଲି ଜିଲ୍ଲାପାଳ ମାନଙ୍କ ସହ ଏସପି ମାନେ ଯୋଗଦେବେ। ମୋହନ ସରକାର ନିକଟରେ 100 ଦିନ ପୂରଣ କରିସାରିଥିବାବେଳେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ।ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିବାବେଳେ ଅନ୍ୟ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ବିଭାଗୀୟ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିପରି ଲୋକଙ୍କ ନିକଟରେ ପହଂଚିବ ଓ ତୃଣମୂଳ ସ୍ତରରେ ଥିବା ଲୋକଟି କିପରି ଏହାର ସୁଫଳ ପାଇପାରିବ ସେନେଇ ଆଲୋଚନା କରାଯିବ। ବିଶେଷ କରି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା, ସିଏମ କିଷାନ, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଭଳି ଫ୍ଲାଗସିପ ଯୋଜନାର ଲାଭ କିପରି ସବୁ ସ୍ତରରେ ପହଂଚି ପାରିବ ସେନେଇ ବିଚାର ବିମର୍ଶ କରାଯିବ। ସେହିପରି ରାଜ୍ୟ ସରକାର କୃଷକମାନଙ୍କ ପାଈଁ ନେଇଥିବା ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା 3100 ଟଙ୍କା ଧାର୍ଯ୍ୟ କରିଥିବାବେଳେ ଏହା କିପରି କୃଷକମାନଙ୍କ ଠାରୁ ଆଦାୟ କରାଯାଇପାରିବ ଓ ରାଜ୍ୟ ସ୍ୱାସ୍ଥ୍ୟସେବା, ଆଇନ ଶୃଙ୍ଖଳାବ୍ୟବସ୍ଥା, ମାଓବାଦୀ କାର୍ଯ୍ୟକଳାପ, ପ୍ରଭୃତି ଅନେକ ପ୍ରସଙ୍ଗରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।