thelifelinemedia
Latest Odisha News, Breaking News Today

ଭରତପୁର ଥାନା ଘଟଣା: ସିସିଟିଭି ସମ୍ପର୍କରେ ହାଇକୋର୍ଟକୁ ଦିଆଯିବ ରିପୋର୍ଟ, ଥାନାରେ ଯାହା ଘଟିଲା ତାହା ରହସ୍ୟ ଘେରରେ 

କଟକ: ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଓ ସିସିଟିଭି ସମ୍ପର୍କରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବାକୁ ଅତିରିକ୍ତ ଡିଜି ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ମାନ୍ୟବର ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅକ୍ଟୋବର ୮ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ପୋଲିସ ବା ତଦନ୍ତକାରୀ ସଂସ୍ଥାର ତଦନ୍ତରେ ହସ୍ତକ୍ଷେପ ଵା ମନିଟର କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। କିନ୍ତୁ ଘଟଣାର ତଦନ୍ତ ନିରପେକ୍ଷ ହେବ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି। ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଏହି ମାମଲାରେ ଆମିକସ କ୍ୟୁରୀ ନିଯୁକ୍ତ କରିଛନ୍ତି ହାଇକୋର୍ଟ। ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି କହିଥିଲେ ରାତିରେ ଦୁଇଜଣ ଥାନାରେ କଣ ଅପରାଧ ଘଟାଇବା ପାଇଁ ପ୍ରବେଶ କରିଥିଲେ କି? ଥାନା ଭିତରେ ଯାହା ଘଟିଲା ତାହା ରହସ୍ୟ ହୋଇ ରହିଛି ଓ ତାହାର ସଠିକ ତଦନ୍ତ ହେବା ଆବଶ୍ୟକ। ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ନେଇଥିବା ପଦକ୍ଷେପ ନେଇ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରାଜ୍ୟ ସରକାର ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଉଚ୍ଚସ୍ତରୀୟ ବୈଠକ କରାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ତଦନ୍ତ ପାଇଁ ବିଚାର ବିଭାଗୀୟ କମିଶନ ଗଠନ ହୋଇଛି। ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ଏହି ତଦନ୍ତ ଦାୟିତ୍ବ ଦିଆଯାଇଛି। ତଦନ୍ତ ରିପୋର୍ଟ ୬୦ ଦିନରେ ରାଜ୍ୟ ସରକାରଙ୍କୁ ଦେବାକୁ କୁହାଯାଇଛି। କ୍ରାଇମବ୍ରାଞ୍ଚର ପ୍ରାରମ୍ଭିକ ରିପୋର୍ଟ ଆଧାରରେ ଆଇଆଇସି ସହିତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟରେ ୬୫୦ ଟି ଥାନା ରହିଥିବା ବେଳେ ସେଥିରୁ ୫୯୩ ଟି ଥାନାରେ ସିସିଟିଭି ରହିଛି। ବାକି ୫୭ ଟି ଥାନାରେ ସିସିଟିଭି ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଓ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

Leave A Reply

Your email address will not be published.