thelifelinemedia
Latest Odisha News, Breaking News Today

ଆସନ୍ତା ସେପଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର କାମ ସାରିବାକୁ ଲକ୍ଷ୍ୟ: ଏ.ଏସ୍.ଆଇଙ୍କୁ ଅନୁରୋଧ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ 

ପୁରୀ: ଆସନ୍ତା ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ )ର ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଗତକାଲି ୧୮ ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଛି । ଏଥିପାଇଁ ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ବୈଷୟିକ ଟିମର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିସହିତ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି, ଗତକାଲି ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆଇ (NGRI) ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିସ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ଆସନ୍ତା ସେପଟେମ୍ବର ୨୪ତାରିଖ ଠାରୁ ଦଶହରା (ଷୋଳ ପୂଜା) ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବ । ପରେ ପରେ କାର୍ତ୍ତିକ ମାସ ଯୋଗୁଁ ଦୀର୍ଘ ସମୟ ଗୁରୁତ୍ବପୂର୍ଣ ନୀତିକାନ୍ତି ଚାଲିବ । ତେଣୁ ଯଥାଶୀଘ୍ର ଏହି ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରିଛନ୍ତି ।

 

ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ରତ୍ନଭଣ୍ଡାର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଦ୍ବାରା ଯେପରି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ନ ପଡିବ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍.ଓ.ପି ଏବଂ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟଭାବେ ପରାମର୍ଶ ଦେଇଛନ୍ତି । ତେଣୁ ସମ୍ପୃକ୍ତ ବୈଷୟିକ ଟିମକୁ ଆବଶ୍ୟକ ନିର୍ଦ୍ଦେଶଜାରୀ କରାଯିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। କହିଛନ୍ତି ଯେ, ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶୀଘ୍ର ଶେଷ କରି ଏ.ଏସ୍.ଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ ହାତକୁ ନିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି l ଏ.ଏସ୍.ଆଇ ମରାମତି କାର୍ଯ୍ଯ ଶେଷ କରିବା ପରେ ଅଳଙ୍କାର ଗଣତି ତଥା ମଣତି କରାଯାଇ ପାରିବ। ତେଣୁ ଏହି ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.