ଶହେ ଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ କଲା ଆମ ସରକାର:ମୋହନ ମାଝୀ

ଭୁବନେଶ୍ୱର: ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲୁ ଆଉ ଶହେ ଦିନ ଭିତରେ ପ୍ରତିଶୃତି ପାଳନ କଲୁ। ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା। ଆଜିର ଏହି ସ୍ୱତନ୍ତ୍ର ଦିନରେ ଯେତେବେଳେ ସାରା ବିଶ୍ୱରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା ଆସୁଛି, ସେତେବେଳେ ସେ ଆଜି ଆମ ଗହଣରେ ଉପସ୍ଥିତ ହୋଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ। ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା ବୋଲି ସେ କହିଥିଲେ।
ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ। ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ସ୍ୱରୂପିଣୀ ଓ ସମାନତାର ପ୍ରତୀକ। କଥା ଅଛି ଯେ, “ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ”। ଠିକ୍ ସେହିପରି ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୋଇଥାଏ। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହି ପ୍ରଗତିଶୀଳ ତଥା ବୈପ୍ଳବିକ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି।