ଆହୁରି ଛେଚିବ ବର୍ଷା ; ଆଜି ଓ ଆସନ୍ତାକାଲି ସାବଧାନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ତା’ ପରବର୍ତ୍ତୀ ୪୮ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହୋଇ ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସ୍ଥାନେ ସ୍ଥାନେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।