ଚିନ୍ତା ବଢ଼ିଲା ସ୍କ୍ରବ୍ ଟାଇଫସ୍

ଭୁବନେଶ୍ବର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟର ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୌସୁମୀ ଋତୁରେ ସ୍କ୍ରବ୍ ଟାଇଫସ୍ ଡରାଇବାକୁ ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ବରଗଡ଼, ଜଗତସିଂହପୁର, ମୟୂରଭଞ୍ଜ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଏକାଧିକ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗତବର୍ଷ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ପରେ ଏକ କେନ୍ଦ୍ରୀୟ ଦଳ ଓଡ଼ିଶା ପରିଦର୍ଶନ କରିଥିଲେ।
ଏହି ଦଳ ରାଜ୍ୟର ୩ଟି ଜିଲ୍ଲାକୁ ଗସ୍ତ କରି ଯେଉଁ ପ୍ରାଥମିକ ରିପୋର୍ଟ ଦେଇଥିଲେ ତାହା ବେଶ୍ ଚିନ୍ତାଜନକ ରହିଥିଲା। ବାହାରେ ମଳତ୍ୟାଗ, ଘାସରେ ଶୋଇବା ଓ ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ ବୋଲି ଦର୍ଶାଇଥିଲା କେନ୍ଦ୍ରୀୟ ଟିମ୍। ଏହାସହ ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ଜନସଚେତନତା ସୃଷ୍ଟି, ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା ମଧ୍ୟ ରୋଗର ସଙ୍ଗିନ୍ ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଇଥିଲା। ଗୁରୁତର ଆକ୍ରାନ୍ତଙ୍କ ରେଫେରାଲ୍ ସହିତ ଆଇସିୟୁ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ଜୋର ଦିଆଯାଇଥିଲା।