ଜମ୍ମୁ ଓ କାଶ୍ମୀରରେ ପୁଣି ଏନ କାଉଣ୍ଟର: ଦୁଇ ଆତଙ୍କୀ ନିହତ

ବ୍ୟୁରୋ: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କୀ। ଜମ୍ମୁ ଓ କାଶ୍ମୀରରେ ପୁଣି ଏନ କାଉଣ୍ଟର। ପୃଥକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଥିବାବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।ଜମ୍ମୁ କାଶ୍ମୀରର କଠଓ୍ବାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ଟଳି ପଡିଛନ୍ତି। ସେହିପରି କିସ୍ତଓ୍ବାଡରେ ଆଉ ଏକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାସ୍ତାରେ ଗାଡି ମୋଟର ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀ। କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ଅସ୍ଥିରତା ବଢ଼ି ଯାଇଛି। ନିକଟରେ ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
ଆଗକୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ ଥିବାରୁ ଆତଙ୍କୀ ଗତିବିଧି ବଢ଼ିବାରେ ଲାଗିଛି। ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ । ଅକ୍ଟୋବର ୪ରେ ଗଣତି ହେବ। ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଜାମ୍ମୁ କାଶ୍ମୀରରେ ଜାଣିଶୁଣି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଆତଙ୍କୀମାନେ। ସେନା ଦ୍ୱାରା ଅନେକ ଆତଙ୍କୀ ନିହତ ହୋଇଥିବା ବେଳେ ଏନ କାଉଣ୍ଟର ସମୟରେ କିଛି ଯବାନ ମଧ୍ୟ ସହିଦ ହେଉଛନ୍ତି।