ମୁଣ୍ଡ ପୂରାଇଲେ ସରକାର, ତୁଟିଲା ଭୁଆସୁଣି ଅଡ଼ୁଆ

ଭୁବନେଶ୍ବର : ବିଏମ୍ସି ବିଫଳ ହେବା ପରେ ୨୦ ଦିନ ଧରି ଦାରୁଠେଙ୍ଗରେ ଥିବା ଭୁଆସୁଣି ଡମ୍ପିଂ ୟାର୍ଡକୁ ନେଇ ଲାଗି ରହିଥିବା ସମସ୍ୟାରେ ମୁଣ୍ଡ ପୂରାଇଛନ୍ତି ସରକାର। ମଙ୍ଗଳବାର ଦିନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ପ୍ରସଙ୍ଗରେ ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା କରିଛନ୍ତି। ଲୋକସେବା ଭବନରେ ମନ୍ତ୍ରୀଙ୍କ ଚାମ୍ବରରେ ଦୀର୍ଘ ୪୦ ମିନିଟ୍ର ଆଲୋଚନା ପରେ ବାଟ ଫିଟିଛି।
ବିଏମ୍ସି ଉପରୁ ଆସ୍ଥା ହରାଇଥିବା ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କୁ ସନ୍ଧ୍ୟାରେ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମିଳିଛି। ୯ ମାସ ମଧ୍ୟରେ ଡମ୍ପିଂୟାର୍ଡର ବିକଳ୍ପ ପ୍ରସ୍ତୁତ ହେବ। ମେ ୨୩ ତାରିଖ ପରେ ଭୁଆସୁଣିକୁ ଆଉ ଆବର୍ଜନା ଯିବ ନାହିଁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଆସନ୍ତାକାଲିଠାରୁ ଆବର୍ଜନା ଭୁଆସୁଣିକୁ ଯିବ ବୋଲି ନିଶ୍ଚିତ ହୋଇଛି।