thelifelinemedia
Latest Odisha News, Breaking News Today

ଆସନ୍ତା ୧୪ରେ ଖୋର୍ଦ୍ଧା ହେବ ରାଷ୍ଟ୍ରୀୟ ଲୋକଅଦାଲତ

ଭୁବନେଶ୍ୱର: ସେପେଫମ୍ବର ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ହେବ ରାଷ୍ଟ୍ରୀୟ ଅଦାଲତ। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆସନ୍ତା ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ବେଗୁନିଆ ଓ ଟାଙ୍ଗୀଠାରେ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଲୋକଅଦାଲତରେ ସମସ୍ତ ପ୍ରକାରର ସାଲିସ୍‌ଯୋଗ୍ୟ ଫୌଜଦାରୀ ଓ ଦେୱାନି ମାମଲା ସହ ଗାଡ଼ିମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଓ ଚେକ୍‌ ବାଉନ୍ସ ଇତ୍ୟାଦି ମାମଲାଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇପାରିବ।ଜିଲ୍ଲା ଓ ଦୌରାଜଜ୍‌ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ନିଶିଥ୍‌ ନିଶାଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣା ଜରିଆରେ ଅଦାଲତରେ ଥିବା ବିଚାରାଧୀନ ମାମଲା ଓ ନିଜ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶା ଯୋଗ୍ୟ ବିବାଦର ସହଜ ଓ ସରଳ ସମାଧାନ ପାଇଁ ଜନସାଧାରଣଙ୍କୁ ଏହାର ସୁବିଧା ମିଳି ପାରିବ।

କେବଳ ବିଚାରାଧିନ ମାମଲା ନୁହେଁ, ପ୍ରାକ୍‌ ମୋକଦ୍ଦମାସ୍ତରୀୟ ଯଥା, କଚେରିରେ ଦାୟର ହୋଇନଥିବା ମାମଲା ଯଥା ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ ଅନାଦେୟ, ଶ୍ରମ ଓ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାଲିସ୍‌ଯୋଗ୍ୟ ଫୌଜଦାରୀ ଓ ଦେୱାନି ମୋକଦ୍ଦମାର ମଧ୍ୟ ସମାଧାନ ହୋଇପାରିବ ବୋଲି ଜଣାପଡ଼ିଛି। ଏଠାରେ ସୂଚନା ଦିଆଯାଉଛି କି ଉକ୍ତ ଲୋକଅଦାଲତରେ ମୋକଦ୍ଦମା ବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ ଏବଂ ଲୋକଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ଅଟେ। ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ଫଇସଲା ହୋଇଯାଏ ତା’ହେଲେ ଆଗରୁ ପଇଠ ହୋଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ହୋଇଥାଏ। ଦୀର୍ଘଦିନରୁ ଅଦାଲତରେ ପଡ଼ି ରହିଥିବା ବା ଚାଲୁ ରହିଥିବା ମାମଲାରେ ଆପୋଷ ବୁଝାମଣା ଜରିଆରେ ନିଜ ନିଜର ବିବାଦର ଅନ୍ତ ଘଟାଇବାକୁ ଚାହୁଁଥିବା ଲୋକେ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପଡିବ।

Leave A Reply

Your email address will not be published.