ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: କଂଗ୍ରେସ ଓ ଏନସି ମଧ୍ୟରେ ଆସନ ବୁଝାମଣା, ବିଜେପିରେ ଆଶାୟୀଙ୍କ ବିଦ୍ରୋହ

ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ଚୂଡାନ୍ତ ହୋଇଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ନିର୍ବାଚନ ଲଢ଼ିବ। ୯୦ସିଟରୁ କଂଗ୍ରେସକୁ ସୁହାଇଲା ଭଳିଆ ୩୨ଟି ସିଟରେ ଲଢେଇ କରିବାର ସୁଯୋଗ ମିଳିଥିବା ବେଳେ ଏନସି ୫୧ସିଟରେ ଲଢ଼ିବ। ବାକି ୫ଟି ଆସନରେ ବନ୍ଧୁତାପୂର୍ଣ୍ଣ ଲଢେଇ ହେବ ବୋଲି ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲା କହିଛନ୍ତି।
୩୭୦ ଧାରା ଉଛେଦ ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେଉଛି। କଂଗ୍ରେସ ଓ ଏନସି ଦଳ ଏକାଠି ମିଶିକି ଲଢ଼ୁଥିବା ବେଳେ ବିଜେପି ଏକାକୀ ଲଢ଼ୁଛି। ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ଓ ପରେ ପ୍ରତ୍ୟାହାରକୁ ନେଇ ଅସନ୍ତୁଷ୍ଟ ବିଜେପି ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ। ଦଳ ପକ୍ଷରୁ ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ବିଜେପି। କିନ୍ତୁ କିଛି ସମୟ ପରେ ଏହାକୁ ଦଳ ପ୍ରତ୍ୟାହର କରିନେଲା । ସୋସିଆଲ ମିଡିଆରୁ ମଧ୍ୟ ପୋଷ୍ଟ ହଟାଇ ଦିଆଗଲା । ପରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଗଲା ଯେଉଁ ତାଲିକାରେ ୨୯ ଜଣ ବାଦ୍ ପଡିଛନ୍ତି । ଫଳରେ ଏହାକୁ ନେଇ ଆଶାୟୀଙ୍କ ଭିତରେ ବିଦ୍ରୋହ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀର ନିର୍ବାଚନ ହେବ। ତିନିଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଲୋକସଭା ନିର୍ବାଚନ ପରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ବାତାବରଣ ଉଷ୍ମ ରହିଛି।