ଆସନ୍ତା ୪ଦିନ ପ୍ରବଳ ବର୍ଷା: ଉପକୂଳରୁ ଉପାନ୍ତ ସବୁଠି ଛେଚିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଫଳରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି । ଗତକାଲି ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପଟି ସକ୍ରିୟ ରହିଛି ଓ ଆସନ୍ତା ଦୁଇ ଦିନରେ ଏହା ୱେଲ ମାର୍କଡ୍ ଲଘୁଚାପରେ ପରିଣତ ହେବ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ହେବ । ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୫ ଦିନ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେଉଁଝର,ଯାଜପୁର,ସୁନ୍ଦରଗଡ଼, ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁର,ଦେଓଗଡ଼,ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର,ନୂଆପଡ଼ା, କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ମୟୁରଭଞ୍ଜ, କେଉଁଝର, ଝାରସୁଗୁଡ଼ା,ସୁନ୍ଦରଗଡ଼, ସମ୍ବଲପୁର ଓ ଦେଓଗଡ଼ ର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ସେପଟେ ୨୯ରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ କହିଛି ପାଣିପାଗ ବିଭାଗ। ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିପାରେ। କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।