thelifelinemedia
Latest Odisha News, Breaking News Today

ବାଲିଅନ୍ତା ପଂଚାୟତ ଅଫିସରେ ପାଣି: ଲୋକେ ହଇରାଣ, ନିଦା ବିଷ୍ଣୁ ସାଜିଛନ୍ତି ବିଭାଗୀୟ ଅଧିକାରୀ

ବାଲିଅନ୍ତା:ପଂଚାୟତ ଅଫିସରେ ଲହଡି ମାରୁଛି ପାଣି। ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ପ୍ରବେଶ ପଥରୁ ପଂଚାୟତ ଅଫିସ ଭିତର ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁଠି ଲହଡି ମାରୁଛି ପାଣି। ଏକଦମ ଠପ ହୋଇପଡିଛି ପଂଚାୟତ ଅଫିସ କାମ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଗ୍ରାମ ପଂଚାୟତରେ ପାଣି ପଶିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।ଲଗାତାର ବର୍ଷା ଯୋଗୁଁ ପଞ୍ଚୟାତ ଅଫିସରେ ପାଣି ପଶି ଯାଇଛି। ଲୋକେ ଭିତରକୁ ଯିବା ସମ୍ଭବ ନୁହେଁ। ଯଦି କିଏ ଜରୁରୀ ପରିସ୍ଥିତି ପାଇଁ ପଂଚାୟତ ଅଫିସ ଯାଉଛନ୍ତି ତା ହେଲେ ପାଣିରେ ଓଦା ହେଇକି ଯିବାକୁ ପଡୁଛି। ସେବା ଟିକକ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ଅଫିସରୁ ପାଣି କେମିତି ଡ୍ରେନେଜ କରାଯିବ ସେ ନେଇ ପଂଚାୟତ ଅଧିକାରୀଙ୍କ ନିଘା ନାହିଁ। ଆରାମରେ ବସି ପଡିଛନ୍ତି ଅଧିକାରୀମାନେ। ପାଣି ଯୋଗୁଁ ଲୋକେ ପ୍ରାୟତଃ ଅଫିସକୁ ଆସୁନାହାନ୍ତି। ତେଣୁ ଅଧିକାରୀଙ୍କ ପାଇଁ କାମ ଚାପ ନାହିଁ। ଖାଲିଟାରେ ଅଫିସରେ ବସି ବସି ଘରକୁ ଯାଇଛନ୍ତି। ଅନ୍ୟପଟେ ଲୋକେ ବିଭିନ୍ନ ସେବା ନ ପାଇ ହଇରାଣ ହେଉଛନ୍ତି। ତେବେ ବାଲିଅନ୍ତା ପଂଚାୟତ ଅଫିସରେ ଏଭଳି ସ୍ଥିତି କିଛି ନୂଆ ନୁହେଁ। ବର୍ଷା ଦିନେ ଆସିଲେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ପୂର୍ବରୁ ବହୁ ଥର ଏମତି ପଂଚାୟତ ଅଫିସରେ ପାଣି ପଶିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି ଦୃଷ୍ଟି ଦେଉ ନାହାନ୍ତି। ବର୍ଷା ଦିନେ ପାଣି କେମିତି ନ ଜମିବ ସେଥିପାଇଁ କିଛି ପଦକ୍ଷେପ ନିଆଯାଉନାହିଁ। ଏବେ ସ୍ଥାନୀୟ ଲୋକେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ଆଗକୁ ଯେମତି ପଂଚାୟତ ଅଫିସରେ ପାଣି ନ ପଶେ ସେ ନେଇ ବିହିତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.