ଶ୍ରାବଣ ମାସ ଶେଷ ସୋମବାର: ଜଳଲାଗି କରୁଛନ୍ତି କାଉଡିଆ

ବ୍ୟୁରୋ:ଆଜି ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି ।କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ପରିବେଶ ।
ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି। ରାଜଧାନୀରେ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଛନ୍ତି ଭକ୍ତ। ଲିଙ୍ଗରାଜ ପରିସରରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି।ସେହିପରି ପୁରୀର ଲୋକନାଥ ମନ୍ଦିର ଓ ନୟାଗଡ଼ର ଲଡ଼ୁବାବାରେ ମଧ୍ୟ କାଉଡିଆଙ୍କ ଗହଳି ପରିଲକ୍ଷିତ ହୋଇଛି।
ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। ଭକ୍ତଙ୍କ କୋଳାହଳରେ ପୁରା ପରିବେଶ ପ୍ରକମ୍ପିତ ହେଉଛି।
କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଭକ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ। ସେହିପରି ଭୋଗରାଇର ବାବା ଚନ୍ଦନେଶ୍ୱର ଶୈବାପୀଠରେ ମଧ୍ୟ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବାବାଙ୍କୁ ଦର୍ଶନ କରିଵା ଏବଂ ପାଣି ଢ଼ାଳିବା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଭିଡ ଜମାଇଛନ୍ତି। ଆଜି ଶେଷ ଶ୍ରାବଣ ମାସର ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶିବପୀଠରେ ଭିଡ ଲାଗି ରହିଛି।