thelifelinemedia
Latest Odisha News, Breaking News Today

ଜେଲ ଗଲେ କୁବେର ଯନ୍ତ୍ରୀ, ତାରାଙ୍କ ସମ୍ପତ୍ତି ଦେଖି ତାଟକା ଭିଜିଲାନ୍ସ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ତାରା ପ୍ରସାଦ ମିଶ୍ର ୟୁଏଇ, ଭିଏତନାମ, ୟୁଏସଏ, ସିଙ୍ଗାପୁର, ମାଲେସିଆ, କାନାଡା, ଥାଇଲାଣ୍ଡ ଭଳି ଭ୍ରମଣ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନି‌ର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍‌ ଗତକାଲି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ସମେତ ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ। ଚଢ଼ଉ ବେଳେ ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ଶ୍ରୀ ମିଶ୍ରଙ୍କ ୧୦ଟି ବିଳାସପୂର୍ଣ୍ଣ ଫ୍ଲାଟ ଥିବା ଜଣାପଡିଛି। କେବଳ ଭୁବନେଶ୍ବରର ନୀଳାଦ୍ରିବିହାର, ଆଇଗିଣିଆ,ଭରତପୁର, ହଂସପାଳ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ତାଙ୍କର ୭ଟି ଦାମୀ ଫ୍ଲାଟ ରହିଛି। ଏବଂ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ରହିଛି। ୧୦ଟି ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର, କଟକ, ଜଟଣୀର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ରହିଛି। ଯାହାର ମୂଲ୍ୟ ୨କୋଟି ୫୦ ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘରୁ ନଗଦ ୬ ଲକ୍ଷ ଟଙ୍କା, ୩୭୦ ଗ୍ରାମ ହୀରା, ୨.୫୫୫ କେଜି ସୁନା ଗହଣା, ୧୩ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଡ଼ି, ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ ମର୍ସିଡିଜ୍‌, ଗୋଟିଏ କିଆ କାର୍‌ ଠାବ କରାଯାଇଛି। ଅନେକ ବୀମା ଓ ବଣ୍ଡ୍‌ ଜମା ମଧ୍ୟ ଥିବା ଜଣାପଡ଼ିଛି। ଏକାଧିକ ବ୍ୟାଙ୍କର ଲକର ଠାବ କରାଯିବା ସହ ‌କିଛି ବ୍ୟାଙ୍କର ଜମା ହିସାବ କରାଯାଇଛି। ଏପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୨.୭କୋଟି ଟଙ୍କା ଜମାଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରୁ ଆମେରିକା, ଥାଇଲାଣ୍ଡ, ଭିଏତ୍‌ନାମ, ୟୁଏଇ, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ମୁଦ୍ରା ମଧ୍ୟ ଜବତ କରାଯାଇଛି। ଏହାଛଡ଼ା ସେ ତାଙ୍କ ଝିଅର ଡାକ୍ତରୀ ପଢ଼ା ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ଅଧିକ ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଭିଜିଲାନ୍ସ ଟିମ୍‌ ଅଧିକ ଖୋଳତାଡ଼ କରୁଛି। ଭିଜିଲାନ୍ସ ପକ୍ଷରୁ ୧୨ଜଣ ଡିଏସ୍‌ପିଙ୍କ ସମେତ ୧୨ଜଣ ଇନିସ୍ପେକ୍ଟର, ୧୬ ଏଏସ୍‌ଆଇ ଓ ଅନ୍ୟ କର୍ମଚ‌ାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।

Leave A Reply

Your email address will not be published.