ଅବ୍ୟବସ୍ଥାର ହବ ପାସପୋର୍ଟ ଅଫିସ, ଅତିଷ୍ଠ ହେଲାଣି ବଡ଼ବାବୁଙ୍କ ବ୍ୟବହାର

ଭୁବନେଶ୍ୱର:ବ୍ୟବସ୍ଥାର ଧଜିଆ ଉଡାଉଛନ୍ତି ବଡବାବୁ। ନୀତି ନିୟମକୁ କିଛି ଖାତିର ନାହିଁ। ଲୋକଙ୍କୁ ସେବା ଦେବା ପରିବର୍ତ୍ତେ କୁକୁର ଭଳି ଦୁର୍ବ୍ୟବହାର କରୁଛନ୍ତି। ସେବା ଆଶାରେ ଯାଇ ବଡ ବାବୁଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଲୋକେ। ରସୁଲଗଡ ଓଡିଶା ହୋମରେ ଟିସିଏସ ଏବଂ କେନ୍ଦ୍ରର ମିଳିତ ସହଯୋଗରେ ଚାଲୁଥିବା ଭୁବନେଶ୍ୱର ପାସପୋର୍ଟ ସେବା କେନ୍ଦ୍ରରେ ଏଭଳି ସ୍ଥିତି ଲୋକଙ୍କୁ ନାକେଦମ କରିସାରିଲାଣି। ଖାସ କରି ସି ୱାନ କାଉଣ୍ଟରରେ ବସିଥିବା ବଡବାବୁଙ୍କ ବ୍ୟବହାରରେ ଅତିଷ୍ଠ ହେଲେଣି ଲୋକେ। ଜାଣିଶୁଣି ଲୋକଙ୍କୁ ଏଠି ହଇରାଣ କରୁଛନ୍ତି ସମ୍ପୃକ୍ତ ବଡ ବାବୁ। ଲୋକଙ୍କୁ ଖରାପ ବ୍ୟବହାର କରୁଛନ୍ତି। ସେବା ନାଁରେ ଲୋକଙ୍କୁ ଗାଳି ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟକୁ ୩୫୦୦ ଡିପୋଜିଟ କଲା ପରେ ମଧ୍ୟ୍ୟ ମାସେ ଭିତରେ ପାସପୋର୍ଟ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଉପଭୋକ୍ତା। ଡକୁମେଣ୍ଟ ଦାଖଲ ହେଲା ପରେ ବି ଏଠି ନୂଆ ଡକୁମେଣ୍ଟ ମାଗୁଛନ୍ତି। ଲୋକଙ୍କୁ ଥରୁଟିଏ ସୁଯୋଗ ଦିଆଯାଉଛି। ଦ୍ୱିତୀୟ ତାରିଖ ନାହିଁ। ଅଯଥା ଡକୁ ମେଣ୍ଟ ମାଗି ଲୋକଙ୍କୁ ଜାଣିଶୁଣି ଏଠାରେ ଅସୁବିଧାରେ ପକାଉଛନ୍ତି ବଡ଼ବାବୁ ମାନେ। ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ଲୋକ ଆସୁଛନ୍ତି। ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି। ହେଲେ ଶେଷବେଳକୁ ଲୋକଙ୍କ କାମ ହେଉନି। ଲୋକ ପଚାରିବାରୁ ଦୁର୍ବ୍ୟବହାର ଦେଖାଉଛନ୍ତି ସି ୱାନ କାଉଣ୍ଟରରେ ବସିଥିବା ବଡବାବୁ।
ଏଭଳି ଘଟଣା କିଛି ନୁହେଁ ଏଠାରେ। ପ୍ରତିଦିନ ଏଭଳି ଘଟଣା ଘଟି ଆସୁଛି ସମ୍ପୃକ୍ତ ଅଫିସରେ। ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ବୈଦେଶିକ ମନ୍ତ୍ରାଳୟ ଏଥି ପ୍ରତି ଦୃଷ୍ଟି ଦେଇ ଯେଉଁ ବଡ ବାବୁ ମାନେ ସେବା ନାଁରେ ଲୋକଙ୍କୁ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।