ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱର: ରାଜ୍ୟର ଶିଳ୍ପ କ୍ଷେତ୍ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ୫ ବର୍ଷରେ ରାଜ୍ୟରେ ୩.୫ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ପରି କ୍ଷେତ୍ରଗୁଡିକରେ ଅଧିକ ନିଯୁକ୍ତି ସମ୍ଭାବନା ରହିଛି। ତେଣୁ ଏ ସବୁ କ୍ଷେତ୍ରରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏ ସବୁ କ୍ଷେତ୍ରରେ ଓଡିଆ ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁଝର ପରି ଖଣିଜ ସମ୍ପଦ ସମୃଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପିତ ହୋଇପାରି ନାହିଁ। ଜିଲ୍ଲାରେ ଖଣିଜ ସମ୍ପଦ ସହ ଜମି, ଜଳ, ବିଦ୍ୟୁତ, ଯୋଗାଯୋଗର ସୁବିଧା ଆଦି ସବୁ ଆନୁଷଙ୍ଗିକ ଭିତ୍ତିଭୂମିର ସୁବିଧା ମଧ୍ୟ ରହିଛି। ତେଣୁ ସେଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି। ଏ ଦିଗରେ ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସରକାରୀ ସ୍ତରରେ ଶିଳ୍ପ ସଂସ୍ଥାମାନଙ୍କୁ ଉପଯୁକ୍ତ ସୁଯୋଗ ଯୋଗାଇ ଦେବା ସହିତ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ ଦିଗରେ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ ସହଯୋଗ ଯୋଗାଇଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆ ଓ ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।