କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ମୃତ

କଟକ:କେରଳ ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରାଙ୍କ ମୃତ୍ୟୁ ହୋଇଛି। ବହୁ ଖୋଜା ଖୋଜି ପରେ ତାଙ୍କ
ମୃତ ଦେହ ମିଳିଛି। କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ହେଉଛନ୍ତି ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ। ସ୍ଥାନୀୟ ପୁଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ଦେଇଛି। ନିଖୋଜ ଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବା ଜଣାପଡିଛି। ଏହାସହ ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।
ବିଷ୍ଣୁ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଗ୍ରୁପରେ ବେଙ୍ଗାଲୁରୁରୁ ୱାୟନାଡ ବୁଲିିବାକୁ ଯାଇଥିଲେ। ହେଲେ ସୋମବାର ରାତିରେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ଭୀଷଣ ଭୂସ୍ଖଳନ ହେବାରୁ ସେ ଓ ତାଙ୍କ ସାଥୀ ଡାକ୍ତର ନିଖୋଜ ହୋଇଯାଇଥିଲେ। ବିଷ୍ଣୁଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିଲେ ବି ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରକୃତି କେତେ ଭୟଙ୍କର ହୋଇପାରେ ତାର ଝଲକ ଦେଖିବାକୁ ମିଳିଛି କେରଳରେ। ୱାୟନାଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମଙ୍ଗଳବାର ଉଦ୍ଧାର କାର୍ୟ୍ୟ ଶେଷ ହେବା ବେଳକୁ ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ଭୋର ସମୟରେ ଭୂସ୍ଖଳନ ଘଟିବାରୁ ଲୋକମାନେ ନିଜ ଘରେ ଶୋଇଥିବା ବେଳେ ଘରୁ ବାହାରିବାର ସୁଯୋଗ ପାଇନଥିଲେ।