ନବୀନଙ୍କ ଆଳୁଚିନ୍ତା, ବିରୋଧୀ କହିଲେ ଚିଠି ଲେଖି ଶସ୍ତା ରାଜନୀତି

ଭୁବନେଶ୍ୱର:ରାଜ୍ୟରେ ଆଳୁର ଅଭାବ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଛନ୍ତି । ଆଳୁ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଅଭାବରୁ କୃତ୍ରିମ ଦର ବଢିଛି । ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଉପକୃତ କରିଛି, ଏଥିରେ ଆପଣ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ ଚିଠି ଯୋଗେ ଉଲ୍ଲେଖ କରିଛନ୍ତି। ତେବେ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗକୁ କଡା ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ। ୨୪ବର୍ଷ ହେଲା ଶୀତଳ ଭଣ୍ଡାର କଲେ ନାହିଁ ଆଳୁ ମିଶନ, ପିଆଜ ମିଶନ ଫେଲ। ସବୁଥିରେ ଫେଲ ପାଇଁ ଲୋକେ ଏଥର ବି ତାଙ୍କୁ ଫେଲ କରିଦେଲେ। ଚିଠି ଲେଖିଲେ ସମାଧାନ ହୁଏ ନାହିଁ। ଆପଣ କଣ ଅଛନ୍ତି ଯେ ଚିଠି ଲେଖୁଛନ୍ତି ବୋଲି ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ।
ସବୁ ପରିବାର ଦରବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି। ଖାସ କରି ଆଳୁର ଅଚାନକ ଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବାଧୁଛି। ୩ ଦିନ ହେଲା ଆଳୁ ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଥିବା ବେଳେ ଆଳୁ ଦର ମଧ୍ୟ ପ୍ରତିଯୋଗିତା କଲା ଭଳି ୫୦ ଟଙ୍କା ଛୁଇଁଛି। ବହୁ ଜାଗାରେ ଆଳୁ କିଲୋ ୬୦ ଟଙ୍କାରେ ପହଞ୍ଚିଛି। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ଠପ୍ ହୋଇଯାଇଥିବାରୁ ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି।