ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଭାଇ

ବ୍ୟୁରୋ:ଡ୍ରଗ୍ସ ମାମଲାରେ ବଡ ଗିରଫଦାରୀ। ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ଭାଇ ଅମନପ୍ରୀତ ସିଂହ ଓ ଅନ୍ୟ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଡ୍ରଗ୍ସ ମାମଲାରେ ଗିରଫ କରିଛି। ଡ୍ରଗସ ଚୋରା ଚାଲାଣ ହେଉଥିବା ମାମଲାରେ ପୋଲିସର ତନାଘନା ପରେ ଶେଷରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବିଭାଗ ହାଇଦ୍ରାବାଦକୁ ୨.୬ କେଜି କୋକେନ୍ ବିକ୍ରି ପାଇଁ ଚୋରା ଚାଲାଣ ହେଉଥିବା ଜାଣିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସହ ଅମନଙ୍କୁ ଗିରଫ କରାଯାଇଥିଲା।
ଏବେ ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି। ଗିରଫଦାରୀଙ୍କ ମଧ୍ୟରେ ଅଛନ୍ତି ଅମନ ପ୍ରୀତ ସିଂହ, ଅନିକେତ ରେଡ୍ଡୀ, ପ୍ରସାଦ, ମଧୁସୂଦନ ଓ ନିଖିଲ ଦାମନ। ଏହି ୫ ଜଣ ଅଭିଯୁକ୍ତ ଏବେ ପୁଲିସ ହେପାଜତରେ ଅଛନ୍ତି।ପରେ ସେମାନଙ୍କର ଡାକ୍ତରୀ ମାଇନା କରାଯିବ ଏବଂ ତା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ରାଜେନ୍ଦ୍ର ନଗର ଜୋନର ସାଇବରାବାଦ ପୁଲିସର ଡିସିପି ଶ୍ରୀନିବାସ କହିଛନ୍ତି, ଡ୍ରଗ୍ସ ଗ୍ରାହକ ଭାବେ ଆମେ ୫ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲୁ। ପରିସ୍ରା ପରୀକ୍ଷା କିଟ୍ ରେ ସମସ୍ତେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସମସ୍ତଙ୍କୁ ଏବେ ଅଟକ ରଖାଯାଇଛି। ଏବେ ଆମେ ତାଙ୍କୁ ବିସ୍ତୃତ ଡାକ୍ତରୀ ପରୀକ୍ଷା ପାଇଁ ପଠାଉଛୁ ବୋଲି ପୋଲିସ ଡିସିପି କହିଛନ୍ତି।
ସୂଚନା ଯୋଗ୍ୟ, ୨୦୨୨ ଓ ୨୦୨୧ ଡ୍ରଗ୍ସ ଚୋରା ଚାଲାଣ ଓ ବ୍ୟବହାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ସମନ କରିଛି। ଗତବର୍ଷ ମଧ୍ୟ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ତାଙ୍କ ବୟାନ ରେକର୍ଡ କରିଥିଲା। ତେବେ ଏଇ ଘଟଣାରେ ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ଼ ଜାରି ରହିଛି।