thelifelinemedia
Latest Odisha News, Breaking News Today

କେମିତି ଖୋଲିଲା ରତ୍ନ ଭଣ୍ଡାର.. ସବୁ କଥା କହିଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ:୪୬ବର୍ଷ ପରେ ରତ୍ନ ଭଣ୍ଡାର ଖୋଲିଲା। ବାହାର ରତ୍ନ ଭଣ୍ଡାରର ଅଳଙ୍କାର ସିଫ୍ଟ କରାଯାଇଥିବା ବେଳେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ନୂଆ ତାଲା ପକାଇ ସିଲ କରାଯାଇଛି।ନୀଳାଦ୍ରି ବିଜେ ପରେ ଦିନ ଧାର୍ଯ୍ୟ ହେଲେ ରତ୍ନଭଣ୍ଡାର ଅଳଙ୍କାର ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ତେବେ ରତ୍ନ ଭଣ୍ଡାରକୁ ଯାଇଥିବା ସଦସ୍ୟଙ୍କ ଭିତରୁ ଅନ୍ୟତମ ସଦସ୍ୟ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସବୁ କଥା ଖୋଲିକି କହିଛନ୍ତି। ଗୋଟି ଗୋଟି କରି ସବୁ କଥା କହିଛନ୍ତି। ସେ କହିଛନ୍ତି ୪୬ ବର୍ଷ ପରେ ଗତକାଲି ଘଟଣାକୁ ନେଇ ମନରେ ଆଶା ଥିଲା ଏହି ମହାନ କାମ ସଫଳ ହେବ ବୋଲି।ପ୍ରଭୁ ଜଗନ୍ନାଥ ଆମ ଆଗରେ ଯାଉଛନ୍ତି ବୋଲି ମନରେ ଭାବି ଭିତରେ ପ୍ରବେଶ କଲୁ ବୋଲି ଜଷ୍ଟିସ ରଥ କହିଛନ୍ତି। ଘରର ମାଲିକ ନ ଥିବା ବେଳେ ଏଭଳି କାର୍ଯ୍ୟକ୍ରମ କାହିଁକି ବୋଲି କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି। ଭଣ୍ଡାରଘର ମାଲିକାଣି ମା ଲକ୍ଷ୍ମୀ ସାନ୍ତାଣିଙ୍କର ଆଜ୍ଞା, ଆଶୀର୍ବାଦ ନେଲୁ। ମା ବିମଳାଙ୍କର ମଧ୍ୟ ଆଶୀର୍ବାଦ ଭିକ୍ଷା କଲୁ। ଲୋକନାଥଙ୍କର ମଧ୍ୟ ଆଶୀର୍ବାଦ ନେଲୁ। ଏହାପରେ କାର୍ଯ୍ୟକ୍ରମକୁ ଆଗେଇ ନେଲୁ। ମହାପ୍ରଭୁ ଜଗନ୍ନାଥ ସର୍ବ ବିଦ୍ୟମାନ।କୌଣସି ସମ୍ପତ୍ତି ଜଗମୋହନ ବାହାରକୁ ଅଣାଯାଇ ନାହିଁ।ସବୁ ସେହି ପରିସର ଭିତରେ ହିଁ ରଖା ଯାଇଛି। ଗତଖାଲି ଯେଉଁ ଚାବି ଅଣାଯାଇଥିଲା ତାହା ବ୍ରିଟିଶ ଅମଳର ପରି ଜଣାପଡୁଥିଲା। ଏକ ସିଲଡ କଭର ଭିତରେ ଚାବି ଓ ସମ୍ପତ୍ତି ତାଲିକା ଥିଲା। ଭିତର ରତ୍ନ ଭଣ୍ଡାର କବାଟରେ ତିନୋଟି ତାଲା ଥିଲା। ଗୋଟିଏ ତାଲା ସିଲ ହୋଇଥିଲା।ଚାବିରେ ତାଲା ନ ଖୋଲିବାରୁ ଆମେ କାଟିଲୁ। ନୂଆ ତାଲା ପକା ଯାଇଛି। ଆଧୁନିକ କୌଶଳରେ ନିର୍ମିତ ନନଡୁପ୍ଲିକେବୁଲ ତାଲା ପକାଗଲା। ଚାବି ପୁଣି ସିଲଡ଼ କଭରରେ ରଖା ଗଲା। ପ୍ରଥମେ ଆବଶ୍ୟକତା ଅନୁଯାୟୀ ମରାମତି ହେବ। ତା ପରେ ସେହି ରତ୍ନ ଭଣ୍ଡାର ଭିତରେ ହିଁ ମଣତି ଗଣତି କରାଯିବ। ବାହାର ରତ୍ନ ଭଣ୍ଡାରରେ ଆଲୋକିକରଣ କରାଯାଇଛି। ଭିତର ଭଣ୍ଡାରରେ ଆଲୋକୀକରଣ କରାଯିବ କି ନାହିଁ ଯଦି କରାଯିବ କେଉଁ ଭଳି ଢଙ୍ଗରେ ଓ କେତେ କରାଯିବ ସେ ନେଇ ପରବର୍ତ୍ତୀ ସମୟରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ। ଦୁଇଟି ରତ୍ନ ଭଣ୍ଡାର ଛଡା ଆଉ ଅଧିକ ରତ୍ନ ଭଣ୍ଡାର ଥିବା କଥା କୁ ନେଇ ହେଉ ଥିବା ଚର୍ଚ୍ଚା ସଂପର୍କରେ କୌଣସି ପ୍ରମାଣ ମିଳୁ ନାହିଁ। ଭିତରେ ସୁଡଙ୍ଗ ଥିବା ନେଇ ପ୍ରଚଳିତ ଲୋକକଥାକୁ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ଯଦି ସେଭଳି କୌଣସି କଥା ନଜରକୁ ଆସେ ଆମେ ଅନୁଧ୍ୟାନ କରିବୁ। ଗତକାଲି ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ବୋଲି ଜଷ୍ଟିସ ରଥ କହିଛନ୍ତି।

Leave A Reply

Your email address will not be published.