ଶରଧାବାଲିରେ ତିନି ରଥ

ପୁରୀ: ଶରଧାବାଲିରେ ପହଁଚିଲା ତିନି ରଥ। ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ଜନସମୁଦ୍ର ପାଲଟିଛି ଶରଧାବାଲି। ଜନ ଜୁଆରରେ ଭକ୍ତି ଭାବରେ ତଲ୍ଲିନ ହୋଇଛନ୍ତି ଭକ୍ତ ଶ୍ରଦ୍ଧାଳୁ। ଜନ୍ମସ୍ଥାନରେ ଏବେ ଭିନ୍ନ ଆବେଗିକ ପରିବେଶ ଦେଖିବାକୁ ମିଳିଛି । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।ଏହିଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ।
ଗତକାଲି ପରେ ଆଜି ପୁଣି ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଭକ୍ତମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣିଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ ଶ୍ରଦ୍ଧାଳୁ। ଗତକାଲି ଅପରାହ୍ଣ ୫ଟାରେ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିବାବେଳେ ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ। ଆଜି ସେହିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲେ ମହାପ୍ରଭୁ।