ଉଦୟଗିରି ଇତିହାସର ସାକ୍ଷୀ ହେଲେ ରାଷ୍ଟ୍ରପତି

ଭୁବନେଶ୍ୱର:ଉଦୟଗିରି କୀର୍ତ୍ତିରାଜିର ସାକ୍ଷୀ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡିଶା ସଂସ୍କୃତି ଓ କଳା ଇତିହାସର ସାକ୍ଷୀ ହୋଇଛନ୍ତି ରାଷ୍ଟ୍ରପତି।ଅତ୍ୟନ୍ତ ଆଗ୍ରହର ସହ ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ମୁଖ୍ୟତଃ ରାଣୀ ଗୁମ୍ଫା ପରିଭ୍ରମଣ କରିଥିଲେ ମହାମହିମ। ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଲେ ଦ୍ରୌପଦୀ ମୁର୍ମୁ। ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କଲେ। ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଉଦୟଗିରିର ଗୁମ୍ଫା ଏବଂ ହାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିଲା ଦାୟିତ୍ଵ ।
ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ମହାମହିମ। ପିଲା ମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ବି.କେ. କଲେଜ ଅଫ ଆର୍ଟସର ଛାତ୍ରଛାତ୍ରୀ ମାନେ ଅଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ଫଟୋ ପଛ ପଟେ ନାମ ଏବଂ ଠିକଣା ଲେଖି ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ମହାମହିମ । ୩୦ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲା ବ୍ୟବହାର କରି ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଚଣା, ହରଡ ଡାଲି, ମୁଗ ଡାଲି, କଳା ଜିରା, ଧଳା ସୋରିଷ, ଧାନ ଭଳି ଫସଲରେ ତିଆରି ହୋଇଥିଲା ଫଟୋ ଚିତ୍ର । ଅତ୍ୟନ୍ତ ଖୁସିର ସହ ଏହି ଫଟୋ ଚିତ୍ରକୁ ରାଷ୍ଟ୍ରପତି ଉପହାର ଭାବେ ଗ୍ରହଣ କଲେ । ଉଦୟଗିରିର ଇତିହାସକୁ ଅତି ପାଖରୁ ଦେଖି ନିଆରା ଅନୁଭବ ସାଉଁଟି ଥିଲେ ରାଷ୍ଟ୍ରପତି।