ବିଜେଡିର ସାଙ୍ଗଠନିକ ନବକଳେବର

ଭୁବନେଶ୍ୱର:ବିଜେଡିର ସାଙ୍ଗଠନିକ ନବକଳେବର। ଦଳକୁ ନୂଆ ରୂପରେଖ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବିଜେଡ଼ିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ୍ ଗଢ଼ାଯାଇଛି । ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।ସେହିପରି ପ୍ରତାପ ଜେନାଙ୍କୁ ବରିଷ୍ଠ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ସ୍ୱୟମ୍ ପ୍ରକାଶଙ୍କୁ ପୂର୍ବଭଳି ସାମାଜିକ ଗଣମାଧ୍ୟମର ସଂଯୋଜକ କରାଯାଇଛି । ମିଡ଼ିଆ ସଂଯୋଜକ ଭାବେ ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ମିଳିଛି । ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ଜନ ସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।
ଜାତୀୟ ମୁଖପାତ୍ର ଟିମ୍ରେ ଡକ୍ଟର ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀଙ୍କୁ ରଖାଯାଇଛି । ସେହିପରି ରାଜ୍ୟ ମୁଖପାତ୍ର ଟିମ୍ରେ କନିଷ୍ଠ ନେତାମାନଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇ ବରିଷ୍ଠ ନେତାମାନଙ୍କୁ ସୁଯୋଗ ଦିଆଯାଇଛି । ଏହି ଟିମ୍ରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡକ୍ଟର ଅରୁଣ କୁମାର ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଲେଖାଶ୍ରୀ ସାମନ୍ତସିଂହରାୟ, ସୁଦାମ ମାରାଣ୍ଡି, ରମେଶ ଚନ୍ଦ୍ର ମାଝୀ, ଭ୍ରୁଗୁ ବକ୍ସିପାତ୍ର ଓ ଡକ୍ଟର ଲେନିନ୍ ମହାନ୍ତି ।
ଗତକାଲି ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରାଯାଇଛି । ବାକି ରହିଥିବା ଅନ୍ୟ କମିଟି ଗୁଡିକୁ ଖୁବଶୀଘ୍ର ମଧ୍ୟ ଘୋଷଣା କରାଯିବ। ଏହି କମିଟି ମାଧ୍ୟମରେ ବିଜେଡି କୁ ଆହୁରି ଅଧିକ ଚଳଚଞ୍ଚଳ କରାଯିବ। ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ଲଢେଇ ଲଢ଼ିଥିଲୁ ଏବଂ ବିକାଶ ଉନ୍ନତି ଯେଉଁ କାମ କରିଥିଲୁ ସେ କାମ ଆମେ ଜାରି ରଖିବୁ । ଯେଉଁଠି ଲୋକଙ୍କ ସ୍ୱାର୍ଥରେ ହାନି ଆସିବ ଆବଶ୍ୟକ ପଡ଼ିଲେ ପ୍ରତିବାଦର ସ୍ୱର ଉତ୍ତୋଳନ କରିବୁ ବୋଲି ବିଜେଡି କହିଛି।ଦୀର୍ଘ ଦିନ ଧରି କମିଟି ଥିଲା ବର୍ତ୍ତମାନ ନୂଆ ରୂପ ରେଖର ସହ ବିଜେଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି