thelifelinemedia
Latest Odisha News, Breaking News Today

ଜନସମୁଦ୍ର ବଡଦାଣ୍ଡ, ବିଶ୍ୱ ଦେଖୁଛି କାଳିଆ ଲୀଳା

ପୁରୀ :ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା।କାଳିଆ ଠାକୁରଙ୍କ ପବିତ୍ର ଘୋଷଯାତ୍ରା।ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ଭକ୍ତ ଓ ଭଗବାନ ଏକାକାର ହୋଇଯାଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ବଡଦାଣ୍ଡରେ । କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଛି ପୁରୀକୁ। ଶ୍ରୀକ୍ଷେତ୍ର ଧାମ ଜଗନ୍ନାଥମୟ ହୋଇ ଉଠିଛି।ଚାରିଆଡେ ମହାପ୍ରଭୁଙ୍କ ଜୟ ଜୟ ଗାନ। ଭକ୍ତ ଶ୍ରଦ୍ଧାଳୁଙ୍କ ଆଖିରେ ଭାବର ଲୁହ। ବଡଦାଣ୍ଡ ଜନସମୁଦ୍ର ପାଲଟିଛି। ସୋରିଷ ପକାଇବାକୁ ଜାଗାନାହିଁ। ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୁରୀର ପ୍ରବେଶ ପଥରୁ ବଡଦାଣ୍ଡ ପର୍ଯ୍ୟନ୍ତ ସୁରକ୍ଷାକୁ କଡାକଡି କରାଯାଇଛି। ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରା ଆପ କରାଯାଇଛି। ଏହି ଆପ ଜରିଆରେ ରଥଯାତ୍ରା ସମ୍ପର୍କିତ ସବୁ ଖବର ଜାଣିପାରିବେ ଭକ୍ତ।ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ରଥଯାତ୍ରା ଉପଲକ୍ଷେ ମୁଁ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଏଥର ରଥଯାତ୍ରା ବିରଳ ରଥଯାତ୍ରା।୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ପାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେଉଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

Leave A Reply

Your email address will not be published.