ରାତି ପାହିଲେ ରଥଯାତ୍ରା: ରଥ.. ପଥ.. ଭକ୍ତ ସମସ୍ତେ ପ୍ରସ୍ତୁତ

ପୁରୀ :ରାତି ପାହିଲେ ପବିତ୍ର ଘୋଷଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ କୋଟି କୋଟି ଭକ୍ତ। ନିଜକୁ ହଜେଇ ଦେବେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ। ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ l ଆବେଗ ଭରା ପରିବେଶ ପୁରୀ ବଡଦାଣ୍ଡରେ।ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି lପୁଲିସ ପ୍ରସ୍ତୁତ, ପ୍ରଶାସନ ପ୍ରସ୍ତୁତ, ପୁରା ସହର ହେଉଛି ଜଗନ୍ନାଥମୟ।ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଆସି ପହଞ୍ଚିଥିବା ବେଳେ ଶ୍ରୀଜୀଉଙ୍କ ରଥରେ ନିର୍ମାଣର ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର।
ଆସନ୍ତାକାଲି ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବାକୁ ପରିଚାଳନା କମିଟି ଓ ଅଞ୍ଚଳବାସୀ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଏଥର ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରୀ ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ।ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ପୋଲିସ ବିଭାଗ ପାଇଁ ଏହା ଏକ ବଡ ଚାଲେଞ୍ଜ। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ।ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟରିଟି ମଧ୍ୟରେ ରହିବ ।ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର, ୧୯ ଜଣ କମାଣ୍ଡାଣ୍ଟ ଏବଂ ଏସପି ରାଙ୍କ ଅଫିସର, ୩୩ ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟଙ୍କ ସହ ୧୩୦ ଜଣ ଇନ୍ସପେକ୍ଟର ମୁତୟନ ହେବେ ।