ଡୁପ୍ଲିକେଟ ଚାବିରେ ଖୋଲାଯିବ ରତ୍ନଭଣ୍ଡାର, ନ ହେଲେ ଭଙ୍ଗାଯିବ

ପୁରୀ:ଡୁପ୍ଲିକେଟ ଚାବିରେ ଖୋଲାଯିବ ରତ୍ନଭଣ୍ଡାର। ଯଦି ଡୁପ୍ଲିକେଟ ଚାବିରେ ନ ଖୋଲେ ତା ହେଲେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହାକୁ ଭଙ୍ଗା ଯାଇ ରତ୍ନ ଭଣ୍ଡାର ଖୋଲାଯିବ। ଆଗାମୀ ୯ତାରିଖରେ ପୁଣିଥରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ବସି ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ନେବା ସହ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହେବ ।ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ତଦାରଖ କମିଟିରେ ଏପରି ନିଷ୍ପତ୍ତି ନିଆଯାଇଛି।ରତ୍ନଭଣ୍ଡାର ଖୋଲାଗଲେ ଏହାର ମରାମତି ନେଇ ମହାପ୍ରଭୁଙ୍କ ରତ୍ନ ଆଭୂଷଣ କୁ ଏକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯିବ।
ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାର ଗୁଡିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡିକର ଚରିତ୍ର ନିର୍ଦ୍ଧାରଣ କରିପାରିବେ। ଗଣତି ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ କରାଯିବ ସହ ରତ୍ନର ଚିହ୍ନଟ ନେଇ ସ୍ଵର୍ଣକାର ନିଯୁକ୍ତ ନେଇ ପରିଚାଳନା କମିଟି ନିଷ୍ପତି ନେବ। ରଥଯାତ୍ରା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ତଦାରଖ କମିଟି ପ୍ରୟାସ କରିବ।ମହାପ୍ରଭୁ ଏହି ସମୟରେ ଗୁଣ୍ଡିଚା ଘରେ ଥିବାରୁ ନୀତିରେ ବ୍ୟାଘାତ ନକରି ଏହି କାର୍ଯ୍ୟ କରାଯାଇପାରିବ।ଏଣୁ ଆଶା କରାଯାଉଛି ଆଗାମୀ ଜୁଲାଇ ୧୯ତାରିଖ ଭିତରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାସ କାରାଯିବ l ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ପ୍ରଥମ ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଅନ୍ୟ ୧୭ଜଣ ସଦସ୍ୟ ଆଲୋଚନାରେ ଭାଗ ନେଇଥିଲେ l କମିଟିର ଆବାହକ ଭାବେ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ, ଏସପି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l