ମହାପ୍ରଭୁଙ୍କ ଆଜ୍ଞାମାଳ ନୀତି ଅନୁଷ୍ଠିତ

ପୁରୀ:ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ।ଆଜ୍ଞାମାଳ ବିଜେ ପରେ ସିଂହଦ୍ବାରକୁ ଯିବ ୩ ରଥ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହାପରେ ରଥଖଳାରୁ ତିନିରଥଙ୍କୁ ପୁଲିସ ଟାଣି ନେଇ ସିଂହଦ୍ୱାରରେ ଲଗାଇବେ।ଦିନକ ପରେ ରଥଯାତ୍ରା। ଅର୍ଥାତ୍ ରବିବାର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ।ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ତେଣୁ ବିଧି ମୁତାବକ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି। ତିନିରଥର ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ନିକଟରେ ପହଞ୍ଚାନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୁଏ।
ଏ ବର୍ଷ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି।ଏହାକୁ ନଜରରେ ରଖି ଶୃଙ୍ଖଳିତ ଭାବେ ଘୋଷଯାତ୍ରା ସମ୍ପନ୍ନ କରିବା ଲାଗି ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ ପଡୁଛି ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଶୃଙ୍ଖଳିତ ନୀତିକାନ୍ତି ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।