ନିର୍ବାଚନ ପରେ ବି ରେପୋ ରେଟ ଅପରିବର୍ତ୍ତିତ, ସାଧାରଣ ଲୋକଙ୍କୁ ମିଳିଲା ଆଶ୍ବସ୍ତି

ବ୍ୟୁରୋ:ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ। ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।ମୁମ୍ବାଇରେ ୩ ଦିନିଆ ମୁଦ୍ରାନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ସମ୍ପର୍କରେ ଘୋଷଣା କରିଛନ୍ତି। ୨୦୨୪- ୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବା ନେଇ ଆକଳନ କରାଯାଇଛି।
ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଅର୍ଥ ଲୋନ EMIରେ କୌଣସି ପରିବର୍ତ୍ତନ ହେବନି । ତେବେ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବର୍ଷ ଜିଡିପି ଅଭିବୃଦ୍ଧି ଆକଳନ ବଢାଇଛି । ଅଭିବୃଦ୍ଧି ହାର ୭ ପ୍ରତିଶତରୁ ବଢାଇ ୭.୨ ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଏଠାରେ କହିରଖୁଛୁ କି, ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଯେଉଁ ସୁଧହାରରେ ଋଣ ଦେଇଥାଏ, ତାକୁ ରେପୋ ରେଟ କହନ୍ତି । ଏଥିରେ ପରିବର୍ତ୍ତନ ହେଲେ ବାଣିଜ୍ୟିକ ବ୍ୟାଙ୍କ ଗ୍ରାହକ ସିଧାସଳଖ ପ୍ରଭାବିତ ହୋଇଥାନ୍ତି । ସେଂଟ୍ରାଲ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଦେଉଥିବା ରଣର ସୁଧ ହାରକୁ ରେପୋ ରେଟ କୁହାଯାଏ ।ରେପୋ ରେଟ ବଢିଲେ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହୁଏ ।ବ୍ୟାଙ୍କ ସୁଧ ହାର ବଢାଇଥାଏ । ଫଳରେ ଇଏମଆଇ ମଧ୍ୟ ଅଧିକା ଦେବାକୁ ପଡିଥାଏ ।ରେପୋ ରେଟ ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ଲୋକଙ୍କୁ ଆସ୍ୱସ୍ତି ମିଳିଛି।