ମୋଦି ମନ୍ତ୍ରୀମଣ୍ଡଳରେ ଓଡିଶାକୁ ମିଳିପାରେ ଗୁରୁତ୍ୱ, ଏକାଧିକ ସାଂସଦଙ୍କୁ ମିଳିପାରେ କ୍ୟାବିନେଟ ପାହ୍ୟା

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଆସନ୍ତା ୮ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ୨୧ ଆସନ ବିଶିଷ୍ଟ ଓଡିଶାରୁ ବିଜେପି ୨୦ ଟି ଆସନରେ ବିଜୟ ଲାଭ କରି ମୋଦିଙ୍କ ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପ୍ରମାଣ କରିଛି।ଦେଶରେ ବିଜେପି ଏକାକୀ ୨୪୦ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ସହଯୋଗୀ ଏନଡିଏ ସମର୍ଥନରେ ୨୯୨ ରେ ପହଁଚି ବହୁମତ ହାସଲ କରିଛି। ଏଭଳି ସ୍ଥିତିରେ ଓଡିଶାରୁ ବିଜୟୀ ହୋଇଥିବା ବିଜେପି ସାଂସଦ କିଏ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚାର ଆଗରେ ରହିଛନ୍ତି ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀ ଥିବା ଧମେନ୍ଦ୍ର ପ୍ରଧାନ। ତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ କରା ନଗଲେ ସେ କେନ୍ଦ୍ରରେ ଭଲ ବିଭାଗ ପାଇବେ।ଏହା ବ୍ୟତୀତ ଓଡିଶାରୁ ଜଣେ ମହିଳା ସାଂସଦ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି।
ସେହିପରି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଓଡିଶାର ଜଣେ ଆଦିବାସୀ ସାଂସଦଙ୍କୁ ସାମିଲ କରାଯିବାର ଅନେକ ସମ୍ଭାବନା ରହିଛି। ଏହି କ୍ରମରେ ମୟୁରଭଞ୍ଜରୁ ଜିତିଥିବା ନବ ମାଝୀ, ନବରଙ୍ଗପୁରରୁ ଜିତି ଥିବା ବଳଭଦ୍ର ମାଝୀ, ସୁନ୍ଦରଗଡ଼ରୁ ଜିତିଥିବା ଜୁଏଲ ଓରାମ ଓ କେନ୍ଦୁଝରରୁ ଜିତିଥିବା ଅନନ୍ତ ନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି। ମନ୍ତ୍ରୀ ପଦ ଦୌଡରେ କଟକ ସଂସଦୀୟ କ୍ଷେତ୍ରରୁ ଲଗାତାର ଜିତି ଆସୁଥିବା ଭର୍ତ୍ତୃହରି ମହତାବ ମଧ୍ୟ ଆଗରେ ରହିଛନ୍ତି। ୧୯୯୮ ରୁ କଟକରୁ ଜିତି ଆସୁଥିବା ଭର୍ତ୍ତୃହରି ସପ୍ତମ ଥର ପାଇଁ ଲୋକସଭାକୁ ଯାଉଛନ୍ତି। ତେଣୁ ତାଙ୍କୁ ଲୋକସଭାର ବାଚସ୍ପତି କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଏମାନଙ୍କ ବ୍ୟତୀତ କେନ୍ଦ୍ରାପଡାରୁ ଜିତିଥିବା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ଆହୁରି ମଧ୍ୟ ବରଗଡ଼ରୁ ଜିତିଥିବା ପ୍ରଦୀପ ପୁରୋହିତ ମଧ୍ୟ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି।