ଭୋଟ ଦେଉଛି ଓଡିଶା, ନେତା ବାଛୁଛନ୍ତି ଭୋଟର, ଦେଶରେ ପଞ୍ଚମ ଓ ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ଭୋଟର। ଆଜି ଦେଶର ପଞ୍ଚମ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି।ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି।୩୦୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା।ନିଜ ନେତା ବାଛୁଛନ୍ତି ଭୋଟର।ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।ସବୁ ବୁଥରେ ସକାଳୁ ସକାଳୁ ଲମ୍ବା ଭିଡ଼। ମହିଳାଙ୍କ ଲମ୍ବା ଧାଡି ଲାଗିଛି ବୁଥରେ। ସଖି ବୁଥ ହେଉ କିମ୍ଵା ଆଦର୍ଶ ବୁଥ ସବୁ ଜାଗାରେ ଭୋଟରଙ୍କ ଭିଡ଼। ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରି ନିଜ ନେତା ବାଛୁଛନ୍ତି ।
ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ।.ଏହି ପର୍ଯ୍ୟାୟରେ ମୋଟ୍ ୩୦୫ଜଣ ପ୍ରାର୍ଥୀ ଥିଲେ ହେଁ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଛି । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଂଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ହିଞ୍ଜିଳି ନବୀନଙ୍କ ଗଡ଼ ହୋଇଥିବାବେଳେ କଂଟାବାଞ୍ଜିରେ ଉଭୟ କଂଗ୍ରେସ ଓ ବିଜେପି କଡ଼ା ଟକ୍କର ଦେଇପାରନ୍ତି ବୋଲି ଆଲୋଚନା ହେଉଛି ।ସେହିପରି ସାରା ଦେଶରେ ଆଜି ପଂଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟରେ ୪୯ଲୋକସଭା ଆସନରେ ସକାଳ ୭ରୁ ପଡିବ ଭୋଟ୍ । ୯ କେନ୍ଦ୍ରମନ୍ତ୍ରୀଙ୍କର ହେବ ଭାଗ୍ୟ ପରୀକ୍ଷା ।ଫୋକସରେ ୟୁୁପିର ଲକ୍ଷ୍ନୌ, ରାୟବରେଲି ସମେତ ଆମେଠି ଭଳି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ର ରହିଛି।