ନିର୍ବାଚନ ବେଳେ ବାତ୍ୟା ଆଶଙ୍କା, ସମୁଦ୍ର ଭିତର ତାପମାତ୍ରା ବାତ୍ୟା ପାଇଁ ଅନୁକୂଳ

ଭୁବନେଶ୍ୱର:ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାତ୍ୟା ଆଶଙ୍କା ଘନଉଛି। ୨୪ତାରିଖ ବେଳକୁ ବାତ୍ୟା ହୋଇପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଅନୁମାନ କରିଛନ୍ତି।୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ। ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଁଚିବ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ। ୨୪ ତାରିଖ ବେଳକୁ ଏହା ଅବପାତ ରୂପନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ବର୍ତ୍ତମାନ ଏହାର ଗତିପଥ ଓ ତୀବ୍ରତା କୁ ନେଇ କୌଣସି ଆକଳନ କରାଯାଇନାହିଁ।ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବ ରହିବ। ବାୟୁ ଚଳାଚଳ ଓ କାଳବୈଶାଖୀ ବର୍ଷା କମିବାକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୨୦ ,୨୧ ଓ ୨୨ ରେ ଗ୍ରୀଷ୍ମ ପ୍ରବାହ ଜାରିରହିବ। ବିଭିନ୍ନ ମଡେଲର ଆକଳନ ଅନୁସାରେ ଅବପାତ ପରେ ଆହୁରି ଘନିଭୂତ ହେବା ଆଶଙ୍କା ରହିଥିବା ବେଳେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏ ନେଇ ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ । ତେବେ ପ୍ରାକ୍ ମୌସୁମୀ ସମୟରେ ବାତ୍ୟା ସମ୍ଭାବନା ଅଧିକ ଥାଏ । ସବୁଠୁ ବଡ଼ କଥା ହେଉଛି, ଏବେ ସମୁଦ୍ର ଭିତର ତାପମାତ୍ରା ମଧ୍ୟ ବାତ୍ୟା ପାଇଁ ଅନୁକୂଳ ରହିଛି
୨୫ ତାରିଖରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିପାରେ । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଉପକୂଳଛୁଇଁ ସାରିଛି। ସେଠାରେ ପ୍ରବଳ ବର୍ଷା ଜାରି ରହିଛି। ଧୀରେ ଧୀରେଏହା ଆଗକୁ ଅଗ୍ରସର ହେବା ନେଇ ପୂବାନୁମାନ କରିଛି ପାଣିପାଗ ବିଭାଗ ।