ଦୁଇ ଶହ ଟପିବନି ବିଜେପି, କେନ୍ଦ୍ରରେ ଇଣ୍ଡି ମେଣ୍ଟ କ୍ଷମତାକୁ ଆସିବ ବୋଲି କହିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବିଜେପି ବିରୁଦ୍ଧରେ ବିଷୋଦଗାର। କହିଛନ୍ତି ଏଥର ବିଜେପି ୨୦୦ଆସନ ଭିତରେ ସୀମିତ ରହିବ। ଯେତେ ଚେଷ୍ଟା କଲେ ମଧ୍ୟ ବିଜେପି ଏଥର ଦୁଇ ଶହ ଟପି ପାରିବ ନାହିଁ। କେନ୍ଦ୍ରରେ ମିଳିତ ମେଣ୍ଟ ଇଣ୍ଡି ସରକାର କରିବ ବୋଲି ମମତା ଦୃଢୋକ୍ତି ପ୍ରକାଶ କରିଛନ୍ତି।ଯେଉଁଠାରେ ବିଜେପି କ୍ରମାଗତ ଭାବରେ ୪୦୦ରୁ ଅଧିକ ସିଟ୍ ଜିତିବାକୁ ଦାବି କରୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର ଏଇ ୪୦୦ ପାର ନାରାକୁ ଟାର୍ଗେଟ କରି ଆସୁଛନ୍ତି। ଅତିକମରେ ୨୦୦ଟି ସିଟ୍ ଜିତିବାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ମମତା କହିଛନ୍ତି ୨୦୨୧ବିଧାନସଭା ନିର୍ବାଚନରେ ୨୦୦ରୁ ଅଧିକ ସିଟ୍ ଆହ୍ୱାନ କରିଥିଲେ ମଧ୍ୟ ମାତ୍ର ୭୭ରେ ସନ୍ତୁଷ୍ଟ ହେବାକୁ ପଡୁଥିଲା।
ଅନ୍ୟପଟେ ମମତା ବାନାର୍ଜୀ ୟୁ-ଟର୍ଣ୍ଣ ମାରିଛନ୍ତି । ଇଣ୍ଡିଆ ମେଂଟକୁ ବାହାରୁ ସମର୍ଥନ ଦେବାକୁ ନେଇ ମମତାଙ୍କ ବୟାନକୁ ବିବାଦ ପରେ ୟୁ-ଟର୍ଣ୍ଣ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମମତା ସ୍ପଷ୍ଟିକରଣ ଦେଇ କହିଛନ୍ତି, ବହୁ ଲୋକ ତାଙ୍କୁ ଭୁଲ ବୁଝୁଛନ୍ତି କିନ୍ତୁ ସେ ଇଣ୍ଡିଆ ମେଂଟକୁ ତିଆରି କରିଛନ୍ତି ଏବଂ ଇଣ୍ଡିଆ ମେଂଟରେ ରହିବେ । ୨୦୨୪ରେ ଅଣ ବିଜେପି ସରକାର ଗଠନ ହେବ । ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବିବାଦ ପରେ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ପ୍ରାର୍ଥୀ ଦେଇଛି । ନିର୍ବାଚନ ଭିତରେ ପୁଣି ସ୍ୱର ବଦଳାଇଛନ୍ତି ମମତା । କଂଗ୍ରେସ ପ୍ରତିକ୍ରିୟାରେ କହିଛି ମମତାଙ୍କ ଉପରେ ଆଉ ବିଶ୍ୱାସ କରିବା ଠିକ ନୁହେଁ ।