ମାସ ଶେଷକୁ ଘୂର୍ଣ୍ଣିବଳୟ, ଭାରି ବର୍ଷା ସହିତ ଜୋରରେ ବହିବ ପବନ

ଭୁବନେଶ୍ୱର: ଆସନ୍ତା ମେ’ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅର୍ଥାତ ମାସ ଶେଷରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।ଆସନ୍ତା ୨୧ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି ।ଏହାର ପ୍ରଭାବରେ ୨୩ମେ ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଥାଇଲାଣ୍ଡ, ମିଆଁଁମାର, ବାଂଲାଦେଶ ସମେତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ଅଞ୍ଚଳ ଗୁଡିକରେ ଭାରି ବର୍ଷା ହୋଇପାରେ।ସ୍ୱାଭାବିକ ଭାବେ ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ।ମାତ୍ର ଏହି ଘୂର୍ଣ୍ଣିବଳୟ ଯୋଗୁଁ ୨୨ରେ ଯଦିବା ଆଣ୍ଡମାନରେ କିଛି ବର୍ଷା ହେବ, କିନ୍ତୁ ବର୍ଷାର ପରିମାଣ ଓ ପବନର ବେଗରୁ ଜଣାପଡ଼ୁଛି ଯେ ମୌସୁମୀ ୨୨ ପରେ ଆଣ୍ଡାମାନ ଛୁଇଁବ।
ତେବେ ଓଡ଼ିଶାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ କି ନାହିଁ ଏହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।ବର୍ତ୍ତମାନ ଓଡିଶାରେ ଖରା କମିଛି।କାଳବୈଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଛି। କିନ୍ତୁ ୧୬ତାରିଖ ପରେ ପୁଣିଥରେ ପାରଦ ୪୦ଡିଗ୍ରୀ ଉପରକୁ ଡେଇଁପାରେ ବୋଲି ଅନୁମାନ ହେଉଛି।