ଭୋଟ ଦେଉଛି ଓଡିଶା, ୪ଟି ଲୋକସଭା ଆସନ ଓ ୨୮ବିଧାନସଭା ସିଟରେ ଭୋଟିଙ୍ଗ, ୨୮୦ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ଭୋଟ ଦେଉଛି ଓଡିଶା। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି।ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା।ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ମହିଳା ପର୍ଯ୍ୟନ୍ତ ସଭିଏଁ ଆଜି ପ୍ରଥମ ପର୍ଯ୍ୟାୟରେ ନିଜକୁ ଗଣତନ୍ତ୍ରର ଏ ମହାନ ପର୍ବରେ ସାମିଲ କରିଛନ୍ତି।ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁରରେ ଭୋଟିଙ୍ଗ ଚାଲିଛି।
ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ।ଯେଉଁଥିରେ ୩୦,୯୭,୫୨୭ ପୁରୁଷ ଭୋଟର ଓ ୩୧,୮୯,୦୬୦ ମହିଳା ଭୋଟର ଅଛନ୍ତି। ସେହିପରି ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।୪ଟି ଲୋକସଭା ଆସନ ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୨୪୩ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।ଏଥର ପ୍ରଥମ ପର୍ଯ୍ୟାୟରେ ବହୁ ହେଭିୱେଟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।ବଣ୍ଡା ଜନଜାତି ଓ ସ୍ୱାଭିମାନ ଅଂଚଳ ବାସୀ ଏଥର ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି।