ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ନୂଆଦିଲ୍ଲୀ : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।ରାଜ୍ୟର ୬ ଲୋକସଭା ଆସନପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଜୁନ୍ ୧ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ ।ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ। ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ତେବେ ଏହି ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରର ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ।
ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବହୁ ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ବିଭିନ୍ନ ଦଳର ଟାଣୁଆ ନେତାଙ୍କ ମଧ୍ୟରେ ବିଜେପିର ହେବିୱେଟ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗରରୁ ଲଢୁଥିବା ବେଳେ ପୋରବନ୍ଦରରେ ମନସୁଖ୍ ମାଣ୍ଡବୀୟ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକ ଧରୱାଡରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ସେହିପରି ବିଦିଶାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଶ୍ଚିମବଙ୍ଗର ବହରମପୁରରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।