ଶଙ୍ଖ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ, ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ

ଭୁବନେଶ୍ୱର: ଅଭିନେତ୍ରୀ ଜିନା ସାମଲ ଶଙ୍ଖ ଫୁଙ୍କିଲେ। ବିଜେଡିରେ ସାମିଲ ହେଲେ ଓଲିଉଡ଼ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଜିନା ସାମଲ। ଆଜି ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଛନ୍ତି ସେ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ଜିନା। ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ବିଜେଡିରେ ହିଁ ନାରୀଙ୍କୁ ସମ୍ନାନ ମିଳୁଛି ବୋଲି ମତ ରଖିଛନ୍ତି ଜିନା। ବିଜେଡିରେ ଜିନା ସାମିଲ ହେଲା ପରେ ଭୋଗରାଇ ତଥା ବାଲେଶ୍ଵର ଲୋକସଭା ସଂସଦୀୟ କ୍ଷେତ୍ରରେ ଦଳ ଆହୁରି ସଶକ୍ତ ହେବ।
ଗତ ବର୍ଷ ଜିନା ସାମଲ ଓ ତାଙ୍କ ସ୍ୱାମୀ ବିଜେପିରେ ମିଶିଥିଲେ । ଦଳ ପାଇଁ ବର୍ଷାଧିକ କାମ କରିବା ସହ ଟିକେଟ ପାଇଁ ଆଶାୟୀ ଥିଲେ ଜିନା । ଖାସକରି ଭୋଗରାଇ ଆସନ ପାଇଁ ସେ ଟିକେଟ ଆଶାୟୀ ଥିଲେ।କିନ୍ତୁ ଗତକାଲି ଭୋଗରାଇ ଆସନରୁ ଆଶିଷ ପାତ୍ରଙ୍କୁ ପ୍ରାର୍ଥୀ କରିବା ପରେ ଜିନାଙ୍କ ଟିକେଟ ଆଶା ମଉଳିଥିଲା । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି।