ବିଜେଡି ଛାଡିଲେ ଅନୁଭବ ପଟ୍ଟନାୟକ: ଟିକେଟ ନ ମିଳିବାରୁ ଦଳରୁ ଇସ୍ତଫା, ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି କହିଲେ

ଭୁବନେଶ୍ୱର: ଟିକେଟ ପାଇଁ ଆଶାୟୀ ଥିଲେ। ଆଶା ଥିଲା ଏଥର ନିର୍ବାଚନ ଲଢ଼ିବେ।୨୦୧୯ରେ ଟିକେଟ ମିଳିନଥିଲା କିନ୍ତୁ ୨୦୨୪ରେ ଟିକେଟ ମିଳିବା ନେଇ ଆଶାବାଦୀ ଥିଲେ। ହେଲେ ଆଶା ନିରାଶାରେ ପରିଣତ ହେଲା। ଦଳ ତାଙ୍କୁ ଟିକେଟ ଦେଲାନାହିଁ।ଶେଷରେ ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କଲେ ଅନୁଭବ ପଟ୍ଟନାୟକ। ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅନୁଭବ ପଟ୍ଟନାୟକ । ଇସ୍ତଫା ପତ୍ରରେ ଲମ୍ବା ଚଉଡା କଥା ଲେଖିଛନ୍ତି ଅନୁଭବ। କହିଛନ୍ତି
ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଛନ୍ତି ।ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି । ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଯାହା କାମ ଦେଇଛନ୍ତି ତାକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ହେଲେ ଦଳ ଶେଷରେ ଧୋକା ଦେଲା।
୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା ।ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ ।ଆଶା ରଖିଥିଲେ ୨୦୨୪ରେ ଦଳ ତାଙ୍କୁ ସୁଯୋଗ ଦେବ। ହେଲେ ୨୦୧୯ ଭଳି ୨୦୨୪ ରେ ଦଳ ତାଙ୍କ ପ୍ରତି ଅନ୍ୟାୟ କଲା। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି । ଫଳରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି। ଖଣ୍ଡପଡା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦଳ ସାବିତ୍ରୀ ପ୍ରଧାନଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି। ଖଣ୍ଡପଡା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସାବିତ୍ରୀ ।