ତାତିରେ ଲାଗୁନି ବ୍ରେକ, ୪୬. ୪ ଡ଼ିଗ୍ରୀ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ତାତିର ତାଉରେ ଭାଜି ହେଉଛି ଓଡିଶା। ଲଗାତାର ତାତି ବଢ଼ି ଚାଲିଛି। ଖରା କମୁନି କି ଗୁଳୁଗୁଳି କମୁନି। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ବାରିପଦାରେ ସବୁଠୁ ଅଧିକ ତାତି। ୪୬. ୪ ଡ଼ିଗ୍ରୀ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୫ ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ଛୁଇଁଛି ପାରଦ। ୨୯ ସହର ରେ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି।
ତାତିରୁ ଏବେ ନିସ୍ତାର ମିଳିଵ ନାହିଁ।ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ଦିନକୁ ଦିନ ଉପରମୁଁହା ହେଉଛି ପାରଦ। ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ରେ 60, ମୟୁରଭଞ୍ଜରେ 50 ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇଛି । ତେଣୁ ପିକ ଆୱାରରେ ଘରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ଖରାରେ ମୁଣ୍ଡ ବୁଲାଇଲେ କିମ୍ବା ଗଳା ଶୁଖିଗଲେ ତୁରନ୍ତ ଡାକ୍ତର ଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳା ବେଶି ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।