ଭୁବନେଶ୍ୱରରେ ଭୋଟ ହାର ବଢ଼େଇବାକୁ ଅପିଲ, ଯୁବଭୋଟର ଆଗକୁ ଆସିବା ଦରକାର

ଭୁବନେଶ୍ୱର: ଭୁବନେଶ୍ୱରରେ ଭୋଟ ହାର ବଢିବା ଦରକାର। ଅଧିକ ମତଦାନ ଗଣତନ୍ତ୍ର ପାଇଁ ଶୁଭ ତେଣୁ ଚଳିତ ଥର ଭୋଟ ହାର ବଢ଼ାଇବାକୁ ନେଇ ଅପିଲ କରିଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ। ଖାସ କରି ଯୁବଭୋଟର ମାନେ ଆଗକୁ ଆସିବା ଦରକାର ବୋଲି କମିଶନର କହିଛନ୍ତି। ୨୫ ମେରେ ନିଶ୍ଚିତ ଯିବି ନିଜ ବୁଥରେ ଭୋଟ ଦେବି ବାର୍ତ୍ତାକୁ ଲୋକଙ୍କ ଭିତରେ ସଚେତନ କରାଇବା ପାଇଁ ବିଏମସି ତରଫରୁ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ମାରାଥନ ମାଧ୍ୟମରେ ନୂଆ ଭୋଟରଙ୍କୁ ଉତ୍ସାହିତ କରାଇବା ସହିତ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରାଇବା ଥିଲା ମୂଳ ଲକ୍ଷ, ଏଥିପାଇଁ ମାରାଥନରେ ଦୌଡ଼ିଛନ୍ତି ଯୁବପିଢି। ଇନଫୋସିଟି ଛକରୁ ଏହି ମାରାଥନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଏଥିରେ ଭାଗ ନେଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସହିତ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଓ ପୂର୍ବତନ କ୍ରୀଡାବିତ୍ ଅନୁରାଧା ବିଶ୍ଵାଳ ଏହି ମାରାଥନ କୁ ଉଦଘାଟନ କରିଥିଲେ। ନୂଆ ଭୋଟରଙ୍କୁ ସମ୍ମାନିତ କରାଯିବା ପରେ ଆତାସ ବାଜି ଭିତରେ ଆକାଶରେ ଉଡ଼ିଥିଲା ସଚେତନର ବେଲୁନ ଆଉ ଆରମ୍ଭ ହୋଇଥିଲା ଗଣ ଦୌଡ଼ କାର୍ଯ୍ୟକ୍ରମ।ସେପଟେ ସମସ୍ତେ ନିଜ ମତ ସାବ୍ୟସ୍ତ କରି ଭୋଟ ଦିଅନ୍ତୁ ଏକ ସୁସ୍ଥ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଆଗକୁ ବଢନ୍ତୁ ବୋଲି ଅତିଥିମାନେ ମତ ରଖିଥିଲେ।
ରାଜଧାନୀ ଭୋଟର ସଚେତନ ଭୋଟର। ଉଚ୍ଚ ଶିକ୍ଷିତ ନାଗରିକ। ଗଣତନ୍ତ୍ରପାଇଁ ଭୋଟର ମୂଲ୍ୟ କଣ ସେମାନେ ଭଲ ଭାବେ ଜାଣିଛନ୍ତି। ତେଣୁ ଏଥର ରେକର୍ଡ ମାତ୍ରାରେ ରାଜଧାନୀ ବାସୀ ମତଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଖାସ କରି ଯେଉଁମାନେ ନୂଆ କରି ଭୋଟ ଦେବାକୁ ଅଛନ୍ତି ସେମାନେ ସମସ୍ତେ ଭୋଟ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଅପିଲ କରାଯାଇଛି।