କଟକ ବାରବାଟୀରୁ ଲଢ଼ିବେ ସୋଫିଆ, ମୋକିମଙ୍କ ଝିଅ ଉପରେ ମୋହର ମାରିଲା କଂଗ୍ରେସ

କଟକ : କଟକ ବାରବାଟୀ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ସୋଫିଆ ଫିର୍ଦୋସ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଟକ ବାରବାଟୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କ ଉପରେ ଦଳ ଭରଷା କରିଛି।
ମୋକିମ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇପଡିବା ପରେ ତାଙ୍କର ନିର୍ବାଚନ ଲଢିବା ଆଶା ମଉଳି ଯାଇଛି। ଫଳରେ ତାଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରଯାଇଛି। ପୂର୍ବରୁ ମହମ୍ମଦ ମୋକିମ ତାଙ୍କର କଟକ ବାସଭବନରେ ଏକ ଗୁପ୍ତ ବୈଠକ କରିଥିଲେ । ସେଠାରେ ତାଙ୍କର କର୍ମିମାନଙ୍କୁ ଝିଅ ଲଢିଲେ ଠିକ ହେବ କି ନାହିଁ ମତାମତ ଲୋଡୁଥିଲେ । ଏହାପରେ ସେ ପ୍ରଦେଶ କଂଗ୍ରେସକୁ ଜଣାଇବେ ବୋଲି କୁହାଯାଇଥିଲା । ତେବେ ଏ ନେଇ ମୋକିମ କହିଥିଲେ ଯେ, ସେ ଛିଡା ହେବ କି ନାହିଁ ତାହା କଂଗ୍ରେସ ଉପରେ ନିର୍ଭର କରେ। ତେବେ ବହୁ ଚର୍ଚ୍ଚା ଆଲୋଚନା ପରେ ସୋଫିଆଙ୍କର ପ୍ରାର୍ଥିତ୍ବ ଉପରେ ମୋହର ମାରିଛି କଂଗ୍ରେସ।
ଧୀରେ ଧୀରେ ସ୍ପଷ୍ଟ ହେଉଛି କଟକ ବାରବାଟୀ ଲଢେଇ। ବିଜେଡି ଏହି ଆସନରେ ବହୁ ପୂବରୁ ପ୍ରାର୍ଥୀ ଘୋଷଣା କରି ସାରଥିଲା। ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଏଠି ବିଜେଡି ପ୍ରାର୍ଥୀ କରିଛି। ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କଲା ଅର୍ଥାତ ମୋକିମଙ୍କ ଝିଅ ସୋଫିଆଙ୍କୁ ଦଳ ଟିକେଟ ଦେଇଛି। ଏବେ ଅପେକ୍ଷା ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ।