ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, କଟିଲା ୪ ବିଧାୟକଙ୍କ ଟିକେଟ

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ୬ ବିଧାନସଭା ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା କରିଛନ୍ତି। ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ ଉପରେ ପଣି ବିଜେଡି ଆସ୍ଥାପ୍ରକଟ କରିଥିବାବେଳେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡିି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ବରୀରେ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାଲିକୁଦା-ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ। ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାର୍ଣ୍ଡିଙ୍କୁ ଟିକେଟ୍ ମିଳିଛି।
ଏଥର ୪ ବିଧାୟକଙ୍କ ଟିକେଟ କଟିଛି। ଆସନ ଗୁଡିକ ମଧ୍ୟରେ ରହିଛି ବରୀ, ହିନ୍ଦୋଳ, ରଘୁନାଥପାଲ୍ଲୀ ଏବଂ ବାଲିକୁଦା-ଏରସମା । ବରୀରେ ବିଧାୟିକା ସୁନନ୍ଦା ଦାସଙ୍କୁ ଦଳ ପୁଣିଥରେ ଭରସା କରିପାରିନି । ବରଂ ଏହି ଆସନରେ ଯୁବ ଚେହେରା ଭାବେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଭରସିଛି ଦଳ । ବିଶ୍ୱରଞ୍ଜନ ଏହା ପୂର୍ବରୁ ବିଜେପି ଟିକେଟରେ ଲଢି ପରାଜିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି ହିନ୍ଦୋଳ ଆସନରୁ ଢେଙ୍କାନାଳ ସାଂସଦ ଥିବା ମହେଶ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଏଠାରେ ଦଳ ସୀମାରାଣୀ ନାୟକଙ୍କ ଟିକେଟ କାଟିଛି । ଅନୁଭବୀ ନେତା ଭାବେ ପୁଣିଥରେ ବିଧାନସଭା ନିର୍ବାଚନ ଲଢିବାକୁ ମହେଶଙ୍କୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ।
ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାଶଙ୍କୁ ଏଥର ନିରାଶ ହେବାକୁ ପଡିଛି । ଏହି ଆସନରେ ଦଳ ଶାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ କରିଛି । ଗତଥର ବିଜେପି ଛାଡି ବିଜେଡିରେ ଯୋଗ ଦେଇ ଟିକେଟ ହାତେଇବା ସହ ବିଜୟୀ ହୋଇଥିଲେ ରଘୁନନ୍ଦନ । ଏପରିକି ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସୋମବାର ସକାଳେ ଟିକେଟ ଘୋଷଣାର କିଛି ସମୟ ପୂର୍ବରୁ ରଘୁନନ୍ଦନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ତେଣୁ ରଘୁନନ୍ଦନଙ୍କ ସହ ଆଲୋଚନା ପରେ ଦଳ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ସେହିଭଳି ରଘୁନାଥପାଲ୍ଲୀରୁ ସୁବତ୍ର ତରାଇଙ୍କ ଟିକେଟ କାଟିଛି ବିଜେଡି । ଏହି ଆସନରେ ସୁବତ୍ରଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । ସେହିଭଳି ବାଙ୍ଗିରିପୋଷି ଆସନରେ ବିଧାୟକ ଥିବା ସୁଦାମ ମାରାଣ୍ଡିଙ୍କୁ ବିଜେଡି ପୂର୍ବରୁ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେଣୁ ଏହି ସ୍ଥାନରେ ନୂଆ ଚେହେରା ଭାବେ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।
ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୪୧ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୬ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।