ଜୟପୁର ପାଇଁ ବିଜେପି ପ୍ରାର୍ଥୀ ହେଲେ ଗୌତମ, ଗତ ଥର ଭଳି ଏଥର ବି ଗୌତମଙ୍କ ଉପରେ ଭରଷା କଲା ବିଜେପି

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛି ଭାରତୀୟ ଜନତା ପାର୍ଟି। ଦଳ ପୁଣି ଥରେ ତାଙ୍କୁ ରିପିଟ କରିଛି। ପୂର୍ବରୁ ଏଇ ଆସନରୁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଏଇ ଆସନ ନେଇ ବିଚାର ବିମର୍ଶ କରୁଥିଲା। ଶେଷରେ ବହୁ ସମୀକରଣ ପରେ ଦଳ ଗୌତମଙ୍କ ଉପରେ ପୁଣି ଭରଷା କରିଛି।
ଓଡ଼ିଶା ବିଧାନସଭା ପାଇଁ ବିଜେପି ପୂର୍ବରୁ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏବେ କେବଳ ଜୟପୁର ଆସନ ପାଇଁ ପ୍ରାର୍ଥୀ ଦେଇଛି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଗୌତମ ଏହି ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ଏଥର ମଧ୍ୟ ଦଳ ପୁଣି ତାଙ୍କୁ ଟିକେଟ୍ ଦେଇଛି । ଏଠାରେ ପୂର୍ବରୁ କଂଗ୍ରେସରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ୍ ଦେଇଛି। ଫଳରେ ଚଳିତ ନିର୍ବାଚନରେ ଜୟପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ ।