ଏପ୍ରିଲ ୨୫ରୁ ଖରା ଛୁଟି, ପ୍ରଚଣ୍ଡ ଖରା ଯୋଗୁଁ ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖରା ପାଇଁ ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତାତିକୁ ଆଖି ଆଗରେ ରଖି ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଏପ୍ରିଲ ୨୨ ଅର୍ଥାତ ଆସନ୍ତାକାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ଏହାପରେ ଏପ୍ରିଲ ୨୫ ତାରିଖ ଠାରୁ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି।ତାତି ପାଇଁ କଲବଲ ହେଉଛନ୍ତି ଲୋକେ । ଅଧିକାଂଶ ସ୍ଥାନରେ ପାରା ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ି ପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇଛନ୍ତି। ତେବେ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏ ଖୋଲା ରହିବ ।
ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ସପ୍ତାହେ ହେଲାଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ପାଇଁ ସମସ୍ତ ସ୍କୁଲ୍ଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ। ତେବେ ୨୫ ତାରିଖରୁ ପୁଣି ଖରାର ପ୍ରକୋପ ଅନୁଭୂତ ହୋଇପାରେ। ଏପ୍ରିଲ ୨୬ରୁ ମେ’ ୨ ପର୍ଯ୍ୟନ୍ତ ପୁଣି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଗୁଡ଼ିକୁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି।