ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ, ଅନୁଭବ ଓ ଅରିନ୍ଦମକୁ ନେଇ ସସ୍ପେନ୍ସ ଜାରି

ଭୁବନେଶ୍ୱର : କଣ କରିବେ ଅନୁଭବ – ଅରିଂଦମ । ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରବେ। ଏଯାଏଁ ଉଭୟଙ୍କ ଉପରୁ ହଟୁନି ପରଦା । ବିଜେଡି ଛାଡି ବିଜେପିରେ ମିଶିବା ପରେ ଦିନ ଗଡୁଛି ହେଲେ ଏଯାଏଁ ଉଭୟଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି।
ଦୁଇ ସିନେ ତାରକାଙ୍କ ୨୪ ସାଧାରଣ ନିର୍ବାଚନରେ ଭୂମିକା କଣ ରହିବ ତାହା ଏବେ ବି ଅସ୍ପଷ୍ଟ । ଦୁଇ ଜଣ ନେତା ନିର୍ବାଚନ ଲଢ଼ିବେ ନା କେବଳ ଦଳର ପ୍ରଚାରକ ଭାବରେ ପ୍ରଚାର କରିବେ ତାହାକୁ ନେଇ କରାଯାଉଛି ବିଭିନ୍ନ କଳ୍ପନା ଜଳ୍ପନା । ଅନୁଭବଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇଲେ ୨୦୧୩ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ।ପରେ ୨୦୧୪ ରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଅନୁଭବ। ତେବେ ୨୦୨୪ରେ ଟିକେଟରୁ ବାଦ ପଡ଼ିବା ପରେ ସେ ବିଜେପିରେ ସାମିଲ ହୋଇଥିଲେ। ସେପଟେ ଅରିନ୍ଦମ ନିର୍ବାଚନ ଲଢ଼ି ନଥିଲେ ମଧ୍ୟ ବିଜୁ ଜନତା ଦଳର ଜଣେ ନେତା ଭାବରେ ଦଳର ସାଙ୍ଗଠନିକ କାର୍ଯ୍ୟ ତୁଲାଇଥିଲେ । ସେହିପରି ବିଭିନ୍ନ ପାଞ୍ଚୟତ , ପୌର ଓ ସାଧାରଣ ନିର୍ବାଚନ ରେ ଦଳର ଷ୍ଟାର ପ୍ରଚାରକ ଭାବରେ ପ୍ରଚାର ଭାର ସମ୍ଭାଳି ଥିଲେ । ତେବେ ୨୦୨୪ରେ ଆଶାୟୀ ଅରିନ୍ଦମଙ୍କୁ ଟିକେଟ ମିଳି ନଥିବାରୁ ସେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ତେବେ ଏହି ଦୁଇ ନେତାଙ୍କ କଣ ହେବ ଆଗମୀଦିନର ପଦକ୍ଷେପ। ନିର୍ବାଚନ ଲଢ଼ିବେ ନା ଷ୍ଟାର ପ୍ରଚାରକ ହୋଇ ରହିବେ । ଏଯାଏଁ ଉଭୟଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନି। ତେବେ ଚର୍ଚ୍ଚା ହେଉଛି କଟକ ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ଭାବରେ ଭର୍ତ୍ତୃହରି ମହତାବଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଅନୁଭବ ସାଲେପୁର ଆସନରୁ ବିଧାନସଭା ପାଇଁ ଲଢ଼ି ପାରନ୍ତି। ସାଲେପୁର ବିଧାନସଭା କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ସାଲେପୁରରୁ ସେ ସର୍ବାଧିକ ଭୋଟ ପାଇଥିଲେ । ଏଣୁ ସାଲେପୁରରୁ ବିଜେପି ଅନୁଭବଙ୍କୁ ମୈଦାନକୁ ଓହ୍ଲାଇ ଫାଇଦା ନେଇପାରନ୍ତି । ସେପଟେ ଅରିଂଦମ କଟକ ସହରରେ ବିଭିନ୍ନ ଏନଜିଓ ମାଧ୍ୟମରେ ସମାଜସେବା କାର୍ଯ୍ୟ ଜାରି ରଖିଛନ୍ତି । କଟକରେ ତାଙ୍କର ସଂଗଠନ ଥିବାରୁ କଟକ ବାରବାଟୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ହେଲେ ଅନୁଭବ ଦିଲ୍ଲୀରେ ମିଶିବା ପରେ ଥରୁଟିଏ ରାଜ୍ୟ କାର୍ଯ୍ୟାଳୟକୁ ଆସି ନାହାନ୍ତି।