ତାତିର ତାଉରେ ଓଡିଶା ,କାଲିଠୁ ଆହୁରି ଜଳିବ ଓଡିଶା

ଭୁବନେଶ୍ୱର : ଜଳୁଛି ସାରା ଓଡିଶା। ତତଲା ତାଉରେ ସିଜୁଛନ୍ତି ରାଜ୍ୟବାସୀ। ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୨୪ ଘଂଟାରେ ରାଜ୍ୟରେ ପ୍ରବଳ ଖରା ସହ ଗୁଳିଗୁଳିକୁ ନେଇ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୨୧ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୧୧ ଜିଲ୍ଲା ବାଲେଶ୍ବର, ଭଦ୍ରକ , ଯାଜପୁର ,କେନ୍ଦ୍ରାପଡା, କଟକ, ଜଗତସିଂହପୁର , ପୁରୀ, ଖୋର୍ଦ୍ଧା , ନୟାଗଡ, ଗଂଜାମ ଓ ଗଜପତି କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଅସମ୍ଭାଳ ତାତି ଦେଖାଯିବ। ବିଶେଷ କରି ୧୯ ଆଉ ୨୦ ତାରିଖରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିବ। ଆଗାମୀ ଏହି ଦୁଇଦିନ ତାତିରୁ ତ୍ରାହି ନଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ୧୮ ତାରିଖରେ ୪ ଜିଲ୍ଲା ମୟୁରଭଞ୍ଜ ନୂଆପଡା ଗଜପତି ଓ ନୟାଗଡ ରେ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୧୭ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି। ସେହିପରି ୧୯ରେ ସିଭିୟର ହିଟ ୱେଭ ୱାର୍ଣ୍ଣିଙ୍ଗ ଥିବାବେଳେ ୪ ଜିଲ୍ଲା ମୟୁରଭଞ୍ଜ ନୂଆପଡା ଗଜପତି ଓ ନୟାଗଡକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ୯ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଛି ।
ଅନ୍ୟପଟେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି-କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ୧୮ ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ର ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ଓ କିଛି ଅଂଚଳରେ ୪୧ ରୁ ୪୩ ଡିଗ୍ରୀ ଯାଏ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି।ସେପଟେ ୫ ଦିନର ଗ୍ରୀଷ୍ମ ପ୍ରବାହ ପରେ ୨୦ ତାରିଖ ବେଳକୁ ବଦଳିବ ପାଗ। ବିଜୁଳି ଘଡଘଡି ସହ ବର୍ଷା ହେବାର ସଂଭାବନା ଥିବା ବେଳେ ତାତିରୁ ଟିକିଏ ଆଶ୍ୱସ୍ତି ମିଳିବ ବୋଲି କହିଛି ପାଣିପାଗ ବିଭାଗ ।