thelifelinemedia
Latest Odisha News, Breaking News Today

ବଢିବ ତେଲ ଦର , ମଧ୍ୟପ୍ରାଚ୍ୟ ଅଶାନ୍ତକୁ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଆଗକୁ ତେଲ ଦର ବଢିବ। ହୁ ହୁ ବଢ଼ିପାରେ ତେଲ ଦର। ଯାହାଦ୍ୱାରା ଗୁରୁତର ପ୍ରଭାବିତ ହୋଇପାରେ ଭାରତ। ମଧ୍ୟ ପ୍ରାଚ୍ୟରେ ଅଶାନ୍ତ ଲାଗିରହିଛି। ଏବେ ନୂଆ ତିକ୍ତତା ଦେଖିବାକୁ ମିଳିଛି ଇରାନ ଏବଂ ଇସ୍ରାଏଲ ମଧ୍ୟରେ। ଯଦି ଆଗକୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗିରୁହେ ତାର ପ୍ରଭାବ ପଡିବ ଭାରତରେ। ମଧ୍ୟପ୍ରାଚ୍ୟ ଅଶାନ୍ତ ଭାରତରେ ତେଲ ଦର ବୃଦ୍ଧି କରାଇବ। ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତ ବାହାର ଦେଶରୁ ଆମଦାନୀ କରିଥାଏ। ଏଥିରେ ଆରବ ଦେଶଗୁଡ଼ିକର ପ୍ରମୁଖ ଅଂଶ ରହିଛି। ଯଦି ଆନ୍ତର୍ଜାତୀୟ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି ହୁଏ, ତେବେ ଏହା ନିଶ୍ଚିତ ଭାବରେ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ। ଏଥି ସହିତ ତୈଳ ମୂଲ୍ୟ ବୃଦ୍ଧି ଦେଶର ଅଭିବୃଦ୍ଧି ହାରକୁ ପ୍ରଭାବିତ କରିପାରେ। ଏହା ବ୍ୟତୀତ ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇପାରେ।

ବୃହତ ତୈଳ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ଭାରତ ଏହାର ଅଧିକାଂଶ ତେଲ ମଧ୍ୟ ଏସିଆରୁ ଆମଦାନୀ କରିଥାଏ। ଇସ୍ରାଏଲ ସହିତ ଭାରତର ମଧ୍ୟ ଭଲ ବାଣିଜ୍ୟିକ ସମ୍ପର୍କ ରହିଛି। ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ମଧ୍ୟ ଏସିଆର ଅନେକ ଦେଶ ଇରାନ ସହିତ ଆସିପାରେ। ଏଭଳି ପରିସ୍ଥିତିରେ ଭାରତ ଉପରେ ମଧ୍ୟ ଚାପ ପକାଇବାକୁ ଚେଷ୍ଟା କରାଯାଇପାରେ। ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧାସଳଖ ଅର୍ଥନୈତିକ ପ୍ରଭାବ ଭାରତ ଉପରେ ପଡ଼ିବାକୁ ଥିବାରୁ ନୂଆଦିଲ୍ଲୀ ଏହି ଯୁଦ୍ଧର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛି। ୮୫ ପ୍ରତିଶତରୁ ଅଧିତ ‌ଅଶୋଧିତ ତେଲ ଭାରତ ଆମଦାନି ଜରିଆରେ ପୂରଣ କରୁଥିବାରୁ ଯୁଦ୍ଧ ‌ପ୍ରଲମ୍ବିତ ହେଲେ ଏହାର ବଡ଼ ଧରଣର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ। ଅଶୋଧିତ ତେଲ ମୂଲ୍ୟ ବଢ଼ିଲେ ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଠାରୁ ଆରମ୍ଭ କରି ବିମାନ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦାମ୍‌ ବଢ଼ିଯିବ। ଏଥିଯୋଗୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ବାଧାପ୍ରାପ୍ତ ହେବ। ବହିର୍ବାଣିଜ୍ୟ ପ୍ରଭାବିତ ହେବା ସହିତ ଚଳନ୍ତି ଖାତା ନିଅଣ୍ଟ ବଢ଼ିବ। ଏଥିଯୋଗୁ ଭାରତୀୟ ମୁଦ୍ରା ବି ଦୁର୍ବଳ ହେବ। ତୈଳ ଏବଂ ଗ୍ୟାସ ବ୍ୟବହାର ଦୃଷ୍ଟିରୁ ଭାରତ ବିଶ୍ବର ଏକ ବୃହତ୍ତମ ଦେଶ ହୋଇଥିବାରୁ ମଧ୍ୟପ୍ରାଚ୍ୟ ତୈଳ ବଜାରରେ କୌଣସି ପ୍ରକାର ଅସ୍ଥିରତା ଭାରତୀୟ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିବ।

Leave A Reply

Your email address will not be published.