କଂଗ୍ରେସ ଉପରେ ବର୍ଷିଲେ ସୁର, ବିନା ଦୋଷରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପୁଅକୁ ବିଜେଡି ଟିକେଟ ଦେଲା। ସେଥିପାଇଁ ଏଭଳି ନିଷ୍ପତ୍ତି ମୋ ବିରୁଦ୍ଧରେ ନିଆଯାଇଛି ବୋଲି ସୁରେଶ ରାଉତରାୟ କହିଛନ୍ତି। ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ଯ ଦଳରୁ ଟିକେଟ ପାଇଛି ।’ ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର। ‘‘ମୁଁ ଦଳ ଛାଡ଼ି ନଥିଲି। ବହିଷ୍କାର ସତ୍ତ୍ବେ ମୁଁ କଂଗ୍ରେସରେ ଅଛି ଓ ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି । ଅନ୍ୟପଟେ ଏବେ ସେ ଖୋଲା ଖୋଲି ପୁଅ ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇବେ ବୋଲି ଚର୍ଚ୍ଚା ହେଉଛି। ଆଗରୁ ପ୍ରତିବନ୍ଧକ ଥିଲା, ଦଳୀୟ ନୀତିରେ ବନ୍ଧା ପଡ଼ିଥିଲେ ଏବେ କିନ୍ତୁ ସବୁ ପ୍ରତିବନ୍ଧକ ହଟି ଯାଇଛି। ଏବେ ଖୁଲମଖୁଲା ପୁଅ ପାଇଁ ପ୍ରଚାର କରିବେ ବୋଲି କୁହାଯାଉଛି। ଯଦି ସୁର ମଇଦାନକୁ ଆସିବେ ତା ହେଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନୂଆ ସମୀକରଣ ତିଆରି ହେବ। ସୁରଙ୍କ ଅନୁଗତଙ୍କ ଭୋଟ ବିଜେଡି ଆଡକୁ ଯିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ସୁର ନିଜର ଭୋଟ ବ୍ୟାଙ୍କ ତିଆରି କରିଛନ୍ତି ଯାହା ତାଙ୍କ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସୁହାଇବ। ଅର୍ଥାତ ଅପରାଜିତା ବନାମ ସୁର ଲଢେଇ ଦେଖିବାକୁ ମିଳିବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ।
ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ ଶାସ୍ତି ଦେଇଛି ଦଳ । କଂଗ୍ରେସର ଏଇ ବରିଷ୍ଠ ବିଧାୟକଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ଏଆଇସିସି । ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ଦଳ ଯାହା ନିଷ୍ପତ୍ତି ନେବ ତାକୁ ଗ୍ରହଣ କରିବେ ବୋଲି ସୁର କହିଥିଲେ।